ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

କଟକ ଅଫିସ,୨୪।୧୨: ରାଜ୍ୟରେ ସୂଚାରୁ ରୂପେ ଧାନ ସଂଗ୍ରହ ଚାଲିଛି। ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି । ଟୋକନ ବ୍ୟବସ୍ଥା ଓ ଟେକ୍ନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ଠିକ୍‌ ଭାବେ ଚାଲିଛି । ଚଳିତ ବର୍ଷ ଶୁକ୍ରବାର ସୁଦ୍ଧା ରାଜ୍ୟର ୧ ଲକ୍ଷ ୫୦ ହଜାର ୨୭୩ ଜଣ ଚାଷୀଙ୍କ ଠାରୁ ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ବର୍ଷା ଓ ପାଣିପାଗ ଅବ୍ୟବସ୍ଥା ଯୋଗୁ ଧାନ କଟାରେ ୧୫ରୁ ୨୦ ଦିନ ବିଳମ୍ବ ହୋଇଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୂଚାରୁ ରୂପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ । ସେଥିପାଇଁ ବିଭାଗ ସଚେତନ ଅଛି ବୋଲି ମନ୍ତ୍ରୀ କହିଛନ୍ତି। ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ । ଯିଏ ସେଇ କାମ କରନ୍ତି ତାଙ୍କ ନଜର ମଧ୍ୟ ସେମିତି ରହିବ । ବ୍ୟବସ୍ଥାକୁ ନେଇ ଅନେକ କଥା କହୁଥିବା ଲୋକମାନେ ଜାଣି ରଖିବା ଦରକାର ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ସାଟେଲାଇଟ ସର୍ଭେ କରିଛୁ । ଯାହାଦ୍ୱାରା ଏଥିରେ ୨୬ ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଛନ୍ତି।