ଚୋରି କରିବାକୁ ଆସି ସିଗାରେଟ ଟାଣି ଶୋଇ ପଡିଲେ ଚୋର, ତାପରେ…

ବେଜିଂ,୨୨।୧୧ : ଦକ୍ଷିଣ ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ, ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। ଚୋର ଘରେ ପଶି ପ୍ରଥମେ ସିଗାରେଟ ଟାଣିଥିଲେ। ଏହା ପରେ ଚୋରି କରିବା ପରିବର୍ତ୍ତେ ଶୋଇପଡିଥିଲେ। ପରେ ଜୋରରେ ଘୁଙ୍ଗୁଡି ମାରିବାକୁ ଲାଗିଲେ। ଶବ୍ଦ ଶୁଣି ଘରର ମାଲିକାଣୀ ଉଠି ଯାଇଥିଲେ। ଏହା ପରେ ଚୋର ଧରାପଡିଥିଲେ। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ରାତିରେ ଚୋର ଘରେ ପ୍ରବେଶ କଲାବେଳେ ସେଠାରେ ଥିବା ଲୋକମାନେ ଜାଗ୍ରତ ଥିଲେ। ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିଲେ। ଚୋର ସେମାନଙ୍କ କଥା ଶୁଣି ଏକ କୋଠରୀରେ ପ୍ରବେଶ କରି ଘରର ଲୋକେ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତେବେ ସମୟ ବିତାଇବା ପାଇଁ ଚୋର ସେଠାରେ ରଖାଯାଇଥିବା ସିଗାରେଟ ଟାଣିଥିଲେ। ଏହାପରେ ସେ ନିଜେ ଶୋଇ ପଡିଥିଲେ।

ଘରର ମାଲିକାଣୀ ପିଲାମାନଙ୍କ ସହିତ ଅନ୍ୟ ଏକ କୋଠରୀରେ ଶୋଇଥିଲେ। କିଛି ସମୟ ପରେ, ଘୁଙ୍ଗୁଡି ଶବ୍ଦ ଆସିବାକୁ ଲାଗିଲା। ପ୍ରଥମେ ସେ ଭାବିଥିଲେ ବୋଧହୁଏ ତାଙ୍କର ଜଣେ ପଡ଼ୋଶୀ ଏତେ ଜୋରରେ ଘୁଙ୍ଗୁଡି ମାରୁଛନ୍ତି, କିନ୍ତୁ ଯେତେବେଳେ ସେ ନିଜ ପିଲାଙ୍କ ଦୁଗ୍ଧ ବୋତଲ ଆଣିବାକୁ କୋଠରୀରୁ ବାହାରକୁ ଆସିଲେ, ଘୁଙ୍ଗୁଡିର ଶବ୍ଦ ଅଧିକ ଜୋରରେ ଶୁଭିଲା। ମହିଳା ସଙ୍ଗେ ସଙ୍ଗେ ବୁଝିପାରିଲେ ଏହି ଶବ୍ଦ ପଡୋଶୀଙ୍କ ଘରୁ ନୁହେଁ, ବରଂ ତାଙ୍କ ଘରର ଅନ୍ୟ କୋଠରୀରୁ ଆସୁଛି। ସେ ସଙ୍ଗେ ସଙ୍ଗେ କୋଠରୀ ଭିତରକୁ ଚାହିଁଲେ, ଜଣେ ଲୋକ ତଳେ ଶୋଇଥିବାର ଦେଖିଲେ। ୟାଙ୍ଗ ନାମକ ଚୋର ନିଦରେ ଶୋଇ ଜୋରରେ ଘୁଙ୍ଗୁଡି ମାରୁଥିଲେ।
ଏହା ପରେ ମହିଳା ଜଣକ ତୁରନ୍ତ ତାଙ୍କ ପରିବାର ସଦସ୍ୟ ଏବଂ ପୋଲିସକୁ ଘରେ ଚୋର ପଶିଥିବା ବିଷୟରେ ସୂଚନା ଦେଇଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଚୋରଙ୍କର ଅପରାଧିକ ଇତିହାସ ରହିଛି ଏବଂ ଏହା ପୂର୍ବରୁ ତାଙ୍କୁ ୨୦୨୨ ମସିହାରେ ମଧ୍ୟ ଗିରଫ କରାଯାଇଥିଲା। ସେପ୍ଟେମ୍ବର ମାସରେ ଜେଲରୁ ବାହାରିବା ପରେ ସେ ପୁଣି ଚୋରି କରିବା ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ପୁଣି ଥରେ ଧରାପଡିଛନ୍ତି। ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ଏହି ଘଟଣା ଭାଇରାଲ ହୋଇଛି। ଅନେକ ୟୁଜର ଚୋରଙ୍କୁ ପରିହାସ କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଚୋର ପୋଲିସକୁ ତାଙ୍କ ଦ୍ୱାରକୁ ଆଣିଥିଲା।” ଅନ୍ୟ ଜଣେ ୟୁଜର କହିଛନ୍ତି ସେ ବୋଧହୁଏ ଥକି ଯାଇଥିଲେ, ତାଙ୍କ ପାଇଁ ଅଧିକ ସମୟ କାମ କରିବା ଉଚିିତ ନୁହେଁ ।

 

Share