Categories: ଜାତୀୟ

ଚୋରି କରିବାକୁ ଆସି ଭାବପ୍ରବଣ ହେଲେ ଚୋର: ଜିନିଷ ରଖି ଛାଡିଗଲେ ଚିଠି

ଲକ୍ଷ୍ନୌ,୨୪।୧୨: ଉତ୍ତର ପ୍ରଦେଶର ବାନ୍ଦାରେ ଚୋରିର ଏକ ରୋଚକ ଘଟଣା ଘଟିଛି। ଏକ ଦୋକାନକୁ ଚୋରି କରିବାକୁ ଯାଇଥିବା ଚୋର ଦୋକାନୀ ମାଲିକଙ୍କ ଦୁଃଖ ଦେଖି ଭାବପ୍ରବଣ ହୋଇପଡିଛନ୍ତି। କେବଳ ଏତିକି ନୁହେଁ, ଚୋର ଦୋକାନୀଙ୍କୁ ସବୁ ଜିନିଷ ରଖିଦେବା ସହ ଏକ ଚିଠି ଲେଖି ମଧ୍ୟ ଛାଡିଯାଇଛନ୍ତି। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଜିଲାର ବିସାଣ୍ଡା ଥାନା ଅଞ୍ଚଳରେ ଚନ୍ଦ୍ରାଳୟ ଗାଁରେ ରହୁଥିବା ଦିନେଶ ତିଓ୍ବାରୀ ଗରିବ ଶ୍ରେଣୀର। ସେ ୪୦ ହଜାର ଟଙ୍କା ରୁଣ ନେଇ ଏକ ଓ୍ବେଲ୍ଡିଂ ଦୋକାନ କରିଥିଲେ। ପ୍ରତିଦିନ ଭଳି ଗତ ଡିସେମ୍ବର ୨୦ରେ ସକାଳୁ ସେ ଦୋକାନ ଖୋଲିବାକୁ ଯାଇଥିଲେ। ସେ ସେଠାରେ ପହଞ୍ଚିବା ପରେ ଦୋକାନ ତାଲା ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ। ଦୋକାନ ଭିତରୁ ଅନେକ ଉପକରଣ ଚୋରି ହୋଇଥିଲା। ପରେ ସେ ଏନେଇ ବିସଣ୍ଡା ଥାନାରେ ଜଣାଇଥିଲେ। କିନ୍ତୁ ଇନ୍ସପ୍ଟେର ନ ଥିବାରୁ ସେ ମାମଲା ରୁଜୁ କରି ପାରି ନ ଥିଲେ। ଡିସେମ୍ବର ୨୨ରେ ଗାଁର କିଛି ଲୋକ ଚୋରି ଉପକରଣ ସବୁ ଏକ ଖୋଲା ସ୍ଥାନରେ ପଡିଥିବାର ଦେଖିଥିଲେ। ଏନେଇ ସେମାନେ ଦିନେଶକୁ ସୂଚନା ଦେଇଥିଲେ।
ଦିନେଶ ସେଠାକୁ ଯାଇ ନିଜ ଜିନିଷ ପଡିଥିବାର ଦେଖିଲେ। ସେଠାରେ ଏକ ଚିଠି ଥିଲା, ଯେଉଁଥିଲେ ଲେଖାଯାଇଥିଲା, ଏହା ଦୀନେଶ ତିଓ୍ବାରୀଙ୍କ ଜିତିଷ। ବାହାର ଲୋକଙ୍କଠାରୁ ଆପଣଙ୍କ ବିଷୟରେ ଜାଣିବାକୁ ପାଇଲୁ। ଆପଣଙ୍କ ବିଷୟରେ ଜାଣି ବହୁ ଦୁଃଖ ଲାଗିଲା। ତେଣୁ ଆମେ ଚୋରି ଜିନିଷ ଫେରାଇ ଦେଉଛୁ। ଆମେ ବାହାର ଅଞ୍ଚଳର, କିନ୍ତୁ ଆମକୁ ସହଯୋଗ କରିଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଆମକୁ ଜଣେ ଗରିବ ଘର ଠିକଣା ଦେଇ ଠକି ଦେଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି।
ତେବେ ଜିନିଷ ପାଇବା ପରେ ଦୀନେଶ ବେଶ୍‌ ଖୁସି ଅଛନ୍ତି। ଭଗବାନ ମୋ ଜୀବିକା ରକ୍ଷା କରିଦେଇଥିବା ସେ କହିଛନ୍ତି।

Share