Categories: ଜାତୀୟ

ସ୍ବପ୍ନ ଦେଖି କୋଟିଏ ମୂଲ୍ୟର ମୂର୍ତ୍ତି ଫେରାଇଦେଲେ ଚୋର

ଲକ୍ଷ୍ନୌ,୧୮।୫: ଚୋର ଲୁଟ୍‌ କରିଥିବା ଜିନିଷ ଫେରାଇବା କଥା ବିରଳ। ତା’ ପୁଣି ଚୋର ଯଦି ସ୍ବପ୍ନ ଦେଖି ଏପରି କରିଛି ତେବେ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ଖବରଟି ପଢ଼ିଲା ବେଳେକୁ ଅଜବ ଲାଗିଲେ ମଧ୍ୟ ଏହା ସତ। ଏଭଳି ଅଦ୍ଭୁତ ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ଜଣେ ଚୋର ଦୁଃସ୍ବପ୍ନ ଦେଖିବା ପରେ ମନ୍ଦିରରୁ ଚୋରି କରିଥିବା କୋଟିଏ ଟଙ୍କାର ମୂର୍ତ୍ତି ଫେରାଇ ଦେଇଛନ୍ତି। ଉତ୍ତରପ୍ରଦେଶ ଚିତ୍ରକୂଟରେ ଥିବା ୩୦୦ ବର୍ଷ ପୁରୁଣା ବାଲାଜୀ ମନ୍ଦିରରୁ ଚୋରଗ୍ୟାଙ୍ଗ୍‌ ଅଷ୍ଟଧାତୁରେ ନିର୍ମିତ ୧୪ଟି ମୂର୍ତ୍ତି ଚୋରି କରିଥିଲେ। କିନ୍ତୁ ରାତିରେ ଦୁଃସ୍ବପ୍ନ ଦେଖି ସେମାନେ ଏହି ମୂର୍ତ୍ତି ଫେରାଇଥିବା ଏକ ଚିଠି ଜରିଆରେ କହିଛନ୍ତି। ମେ’ ୯ରେ ବାଲାଜୀ ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ୧୬ଟି ମୂର୍ତ୍ତି ଚୋରି ହୋଇଥିଲା। ମନ୍ଦିର ମହନ୍ତ ରାମବାଲକ ଚୋରି ସମ୍ପର୍କିତ ଅଭିଯୋଗ ସ୍ଥାନୀୟ ପୋଲିସ ଷ୍ଟେଶନରେ କରିଥିଲେ। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ବେଳେ ରବିବାର ରାତିରେ ମନ୍ଦିର ମହନ୍ତଙ୍କ ଘର ବାହାରେ ଏକ ଓଜନିଆ ବସ୍ତା ମିଳିଥିଲା। ବସ୍ତା ଫିଟାଇ ଦେଖିଲା ବେଳକୁ ସେଥିରେ ମନ୍ଦିରରୁ ଚୋରି ହୋଇଥିବା ୧୬ଟି ମୂର୍ତ୍ତି ମଧ୍ୟରୁ ୧୪ଟି ମୂର୍ତ୍ତି ଥିବା ସହ ସେଠାରେ ଏକ ଚିଠି ରଖାଯାଇଥିଲା। ଚିଠିରେ ଚୋରମାନେ ଉକ୍ତ ସ୍ବପ୍ନ ବିଷୟରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଏହି ମୂର୍ତ୍ତିଗୁଡ଼ିକ ପୋଲିସ ଅଧୀନରେ ରଖାଯାଇଥିବା ବେଳେ ଚୋରଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Share