ସୋରଡାରେ ଚୋର ଆତଙ୍କ

ସୋରଡା,୧୪।୬(ଲମ୍ବୋଦର ପାଣିଗ୍ରାହୀ ):ଖଜୁରୀପାଲି, କାଲମା, କେନ୍ଦୁପାଲି ଅଞ୍ଚଳରେ ଚୋର ଦଳ ସକ୍ରିୟ ଥିବା ବେଳେ ଗ୍ରାମାଞ୍ଚଳରେ ଚୋର ଆତଙ୍କ ଦେଖାଯାଇଛି। ରବିବାର ସକାଳେ ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଦୋକାନରେ ୩ ଯୁବକ ପଶି ବ୍ୟାଗ୍‌ କିଣିବା ବାହାନରେ ବନ୍ଧୁକ ଦେଖାଇ ସୁନା,ଟଙ୍କା ନେଇଯାଇଥିଲା ବେଳେ ପୋଲିସ ସେମାନଙ୍କୁ ଧରିବାକୁ ଅହରହ ଉଦ୍ୟମ ଜାରିରଖିଛି । ଏପଟେ ବ୍ଲକର ଗାଜଲବାଡି ପଞ୍ଚାୟତର ୫୯ ଜାତୀୟ ରାଜପଥ ପାର୍ଶ୍ୱ ଖଜୁରୀପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ୭ ଜଣଙ୍କ ଘର ବାରିପଟେ କବାଟ ଭାଙ୍ଗି ଚୋର ପଶିଥିବା ଜଣାପଡିଛି । ଗ୍ରାମର ଅମୂଲ୍ୟ ଗଉଡ, ଭାସ୍କର ଗଉଡଙ୍କ ଘରୁ ନଗଦ ଟଙ୍କା, ଭଗବାନ ନାୟକଙ୍କ ଘରୁ ନଗଦ ୨୦୦୦୦ ଟଙ୍କା ସହ ସୁନା, ରୂପା ଅଳଙ୍କାର ନେଇଯାଇଛନ୍ତି। ସେହିପରି ଗୋଛା ପଞ୍ଚାୟତ କାଲମା ଗ୍ରାମରେ ୬ ଦିନ ତଳେ ଗ୍ରାମର ୭ ଜଣଙ୍କ ଘରେ ଅନୁରୂପ ଢଙ୍ଗରେ ବାରିପଟ କବାଟ ଭାଙ୍ଗି ପଶି ଅପୁର୍ଗୀ ନାଇକଙ୍କ ଘରୁ ୧୫୦୦୦ , ସୀତାରାମ ନାଇକଙ୍କ ଘରୁ ପିତଳ ସାମଗ୍ରୀ ନେଇଯାଇଛନ୍ତି ବୋଲି ଗ୍ରାମର ପୂର୍ବତନ ସରପଞ୍ଚ ଶିବ ଦିଗାଳ କହିଛନ୍ତି । ତେବେ ଖବର ପାଇ ପୋଲିସ ଟିମ୍‌ ରାତ୍ରି କାଳୀନ ପେଟ୍ରୋଲିଂକୁ କଡାକଡି କରିଥିବା ବେଳେ ଉକ୍ତ ଗ୍ରାମକୁ ଯାଇ ତନାଘନା ଆରମ୍ଭ କରିଛି ।