ଶ୍ରୀଲଙ୍କାରେ ହାହାକାର: ହଳଦି ୩,୫୮୩ ଟଙ୍କା

କଲମ୍ବୋ,୯ ।୪: ଶ୍ରୀଲଙ୍କା ୭୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ସାମନା କରିଛି । ଗତ ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀରେ ୩୯ ପ୍ରତିଶତ ବୃଦ୍ଧି ଏକ ରେକର୍ଡ ବୋଲି କୁହାଯାଉଛି । ଶ୍ରୀଲଙ୍କା କରେନ୍ସି(ଏଲକେଆର୍‌)ର ଭାଲ୍ୟୁ ଡଲାର ତୁଳନାରେ ଅଧା ହୋଇଯାଇଛି । ଯାହା ଫଳରେ ଜରୁରୀ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି । ଡିଜେଲ-ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ପର୍ଯ୍ୟନ୍ତ ବହୁଗୁଣା ବୃଦ୍ଧି ପାଇଛି । ଏହା ସାଧାରଣ ଜନତାଙ୍କ ଜୀବନ ଉପରେ ଖୁବ୍ ପ୍ରଭାବ ପକାଉଛି । ଏବେ ଶ୍ରୀଲଙ୍କାରେ ପ୍ରେଟ୍ରୋଲ ଲିଟର ପିଛା ଦାମ ୨୫୪ ଟଙ୍କା ହୋଇଥିବା ବେଳେ ଡିଜେଲ ୧୭୬ ଟଙ୍କା ହୋଇଛି । ସେହିପରି ରୋଷେଇ ଗ୍ୟାସ ୨,୭୫୦ ଟଙ୍କାରେ ପହଞ୍ଚିଥିବା ବେଳେ ହଳଦି କିଲୋଗ୍ରାମର ଦାମ ରହିଛି ୩,୫୮୩.୩୩ଟଙ୍କା । ଚାଉଳ, ଚିନି, ଡାଲିର ଦାମ ବି ଆକାଶ ଛୁଆଁ ।
ଶ୍ରୀଲଙ୍କା ନିକଟରେ ଏବେ ମାତ୍ର ୨.୩୧ ଅରବ ଡଲାର ରହିଛି । ବିଦେଶି ମୁଦ୍ରା ଭାବେ କେବଳ ୧୭.୫ କୋଟି ଟଙ୍କା ରହିଛି । ଶ୍ରୀଲଙ୍କା ଅଶୋଧିତ ତୈଳ ଓ ଅନ୍ୟ ସାମଗ୍ରୀ ପାଇଁ ବର୍ଷକୁ ୯୧ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶ୍ରୀଲଙ୍କା ପାଖରେ ରହିଛି ମାତ୍ର ୧୭.୫ ହଜାର କୋଟି ଟଙ୍କା ।
ଚାଇନାର ଶ୍ରୀଲଙ୍କା ଉପରେ ୫ ବିଲିୟନ ଡଲାରରୁ ଅଧିକ ଋଣ ଥିବା ବେଳେ ଭାରତ ଓ ଜାପାନ ଭଳି ଦେଶ ବ୍ୟତୀତ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଆଇଏମଏଫ) ଭଳି ସଂସ୍ଥାରୁ ମଧ୍ୟ ଶ୍ରୀଲଙ୍କା ଉଧାର ନେଇଛି । ସରକାରୀ ସୂଚନା ମୁତାବକ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଶ୍ରୀଲଙ୍କା ଉପରେ ମୋଟ ୩୫ ବିଲିୟନ ଡଲାର ବିଦେଶୀ ଋଣ ଥିଲା ଯାହା ଏବେ ୫୧ ଅରବ ଡଲାରରେ ପହଞ୍ଚି ଯାଇଛି ।

Share