ଆଜି ଓଡ଼ିଶାରେ ଗଡିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌:ଜାଣନ୍ତୁ କେଉଁଠୁ ଚାଲିବ

ଭୁବନେଶ୍ୱର,୧୨।୩:(ଅନୁରାଧା ମହାରଣା):ରେଲଓ୍ବେ ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳ ସଂଯୋଗୀକରଣ ପ୍ରକ୍ରିୟାର ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୮୫ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରେଳ ଷ୍ଟେଶନରେ ଏକସଙ୍ଗେ ୧୦ ହଜାର ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର ୭୬୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସୋମବାର ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ମହାପ୍ରବନ୍ଧକ ବେହେରା କହିଛନ୍ତି, ମୋଟ ୬ହଜାରଟି ପ୍ରକଳ୍ପ ମଧ୍ୟରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହି ପ୍ରକଳ୍ପଗୁଡିକରେ ୧୬୨ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ, ୪୧ ‘ୱାନ ଷ୍ଟେଶନ ୱାନ ପ୍ରଡକ୍ଟ’ ଷ୍ଟଲ୍‌, ୫୦ ସୋଲାର୍‌ ପାୱାର୍‌ ଷ୍ଟେଶନ, ୫ ଗୁଡ୍‌ସ ଶେଡ୍‌, ୯ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ ଅଟୋ ସିଗ୍‌ନାଲ ସିଷ୍ଟମ, ଗୋଟିଏ ଗତି ଶକ୍ତି ଟର୍ମିନାଲ, ଗୋଟିଏ ଜନଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍‌ ରେଷ୍ଟୁରାଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଓଡ଼ିିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ ଏବଂ ବିଜ଼ୟନଗରମ୍‌ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ୬ଦିନ ଚାଲିବ। ପ୍ରଧାନମନ୍ତ୍ରୀ ୯ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିବେ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୨୩୪ କୋଟିର ହରିଦାସପୁର-ବଇରି (୧୬.୮କିମି) ସେକ୍ସନ, କୋରାପୁଟ-ରାୟଗଡା ରେଳଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧ କୋଟିର ଦାମନଯୋଡ଼ି-ବାଇଗୁଡ଼ା (୧୪.୬ କିମି) ସେକ୍ସନ, ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭ କୋଟିର ସିଙ୍ଗାପୁର ରୋଡ-ରାୟଗଡା (୯.୨କିମି) ସେକ୍ସନ, କୋଟଭାଲସା-କୋରାପୁଟ ଦୋହରୀକରଣ ରେଳଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସିମିଳିଗୁଡ଼ା-ଆରକୁ-ଗୋରାପୁର (୨୧.୬କିମି) ସେକ୍ସନ, କୋଟଭାଲସା-କୋରାପୁଟ ଦୋହରୀକରଣ ରେଳଲାଇନ ପ୍ରକଳ୍ପ ଅନ୍ତର୍ଗତ ୪୭ କୋଟିର କୋଟା-ବୋଡାବରା ରେଳ ସେକ୍ସନ, ବିଳାସପୁର-ଝାରସୁଗୁଡା ୪ର୍ଥ ଲାଇନ ରେଳପ୍ରକଳ୍ପ ଅନ୍ତର୍ଗତ ୫୫୦ କୋଟିର ଝାରସୁଗୁଡା-ଜାମାଗା (୫୩ କିମି) ସେକ୍ସନ, ବଣ୍ଡମୁଣ୍ଡା-ରାଞ୍ଚତ୍ ରେଳଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩ କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡମୁଣ୍ଡା ସେକ୍ସନ, ରାଞ୍ଚତ୍-ବଣ୍ଡମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୨୯.୯୫ କୋଟିର ନବଗାଓଁ-ଓରଗା (୬.୮ କିମି) ସେକ୍ସନ, ନାରାୟଣଗଡ଼-ଭଦ୍ରକ ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୩୬.୧୨ କୋଟିର ରାଣୀତାଲ-ରାଣୀତାଲ ୪ର୍ଥ ଲାଇନ (୩ କିମି) ସେକ୍ସନ ରହିଛି।

Share