Categories: ଜାତୀୟ

ପାକ୍‌ ରେଞ୍ଜରଙ୍କ ଗୁଳିରେ ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ଶହୀଦ: ଆଜି ଗାଁରେ ପହଞ୍ଚିବ ମୃତଦେହ

ନୂଆଦିଲ୍ଲୀ,୧୦ା୧୧: ପାକିସ୍ତାନୀ ରେଞ୍ଜରଙ୍କ ଗୁଳିମାଡ଼ରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ ହେଡ୍‌ କନ୍‌ଷ୍ଟେବଲ ଶହୀଦ ହୋଇଛନ୍ତି। ହେଡ୍‌ କନ୍‌ଷ୍ଟେବଲ ଲାଲ୍‌ ଫାମ୍‌ କିମା ଗୁଳିମାଡ଼ରେ ଆହତ ହେବା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଜମ୍ମୁର ଜିଏମ୍‌ସି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

୫୦ ବର୍ଷୀୟ ହେଡ୍‌ କନ୍‌ଷ୍ଟେବଲ ଲାଲ୍‌ ଫାମ୍‌ଙ୍କ ଘର ମିଜୋରାମ୍‌ର ଐଜ୍ୱଲରେ। ତାଙ୍କ ମରିଶରୀର ଶୁକ୍ରବାର ଜନ୍ମସ୍ଥାନରେ ପହଞ୍ଚିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରର ସାମ୍ବା ଜିଲା ଅନ୍ତର୍ଗତ ରାମଗଡ଼ ସେକ୍ଟରରେ ବୁଧବାର ବିଳମ୍ବିତ ରାତିରେ ପାକ୍‌ ରେଞ୍ଜରମାନେ ଗୁଳି ଚଳାଇବାରୁ ବିଏସ୍‌ଏଫ୍‌ ଏହାର ଜବାବ ଦେଇଥିଲେ।

ନଭେମ୍ବର ୯ରେ ଜାମ୍ମୁର ସାମ୍ବା ଅନ୍ତର୍ଜାତୀୟ ସୀମା(ଆଇବି) ନିକଟରେ ପାକିସ୍ତାନ ରେଞ୍ଜର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାରୁ ଜଣେ ସୀମା ସୁରକ୍ଷା ଅଧିକାରୀ (ବିଏସଏଫ) ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଗତ ୨୪ ଦିନ ମଧ୍ୟରେ ପାକିସ୍ତାନ ରେଞ୍ଜରଙ୍କ ଏହା ତୃତୀୟ ଥର ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁର ବିଏସ୍‌ଏଫ୍‌ ପାଲୋରା କ୍ୟାମ୍ପରେ ମୃତଦେହ ପହଞ୍ଚିବା ପରେ ବିଏସ୍‌ଏଫ ମୁଖ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share