Categories: ଜାତୀୟ

ଲଦାଖରେ ନିର୍ମାଣ ହେଉଛି ତୃତୀୟ ଫାଇଟର ବେସ୍‌: ଚିନ୍ତାରେ ଚାଇନା…

ଲେହ,୧୩।୮ : ତିନି ବର୍ଷ ପୂର୍ବେ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଥିଲା। ଫଳରେ ଚାଇନା ବ୍ୟାକଫୁଟ ଯିବାକୁ ବାଧ୍ୟ ହୋଇଥିଲା। ଏହାର କାରଣ ଥିଲା ଭାରତୀୟ ସେନା ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ସହିତ ଏଲଏସିରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଖୁବ ଶୀଘ୍ର ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବ। ଭାରତୀୟ ବାୟୁସେନା ବର୍ତ୍ତମାନ ଲଦାଖରୁ ଯୁଦ୍ଧ ବିମାନ ଅପରେଶନ ପାଇଁ ତୃତୀୟ ଏୟାରବେସ ପାଇବାକୁ ଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାର ନିଓମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ୧୩୭୦୦ ଫୁଟ ଉଚ୍ଚରେ ନବୀକରଣ କରି ଏକ ନୂତନ ଯୁଦ୍ଧ ବିମାନ ବେସ ପ୍ରସ୍ତୁତ କରାଯାଉଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଏହାର କାର୍ଯ୍ୟ ଗତ ସପ୍ତାହରେ ଆରମ୍ଭ ହୋଇଛି ଏବଂ ଖୁବ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନିଓମା ପରିଦର୍ଶନ କରିିବେ। ଯେଉଁଠାରେ ସେ ନୂତନ ଏୟାରବେସର ନବୀକରଣ କାର୍ଯ୍ୟ ସହିତ ସୁରକ୍ଷା ଅବସ୍ଥା ଏବଂ ପ୍ରସ୍ତୁତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରାୟ ୨.୭ କିଲୋମିଟର ଲମ୍ବା ରନୱେ ସମ୍ପୂର୍ଣ୍ଣ କଂକ୍ରିଟ ହେବ ଏବଂ ରନୱେ ସହିତ ବାକି କାର୍ଯ୍ୟ ମଧ୍ୟ ଆସନ୍ତା ୨୦ ରୁ ୨୨ମାସ ମଧ୍ୟରେ ଶେଷ ହେବ। ତେବେ ଏହାର ନବୀକରଣ କାର୍ଯ୍ୟ ଚଳିତ ବର୍ଷ ମେ-ଜୁନ ମାସରେ ଆରମ୍ଭ ହେବାର ଥିଲା। କିନ୍ତୁ ପରିବେଶ ଏବଂ ଅନ୍ୟାନ୍ୟ ଅନୁମୋଦନ ପାଇଁ ଏହା ଟିକେ ବିଳମ୍ବ ହୋଇଗଲା କିନ୍ତୁ ବର୍ତ୍ତମାନ କାମ ଦ୍ରୁତ ଗତିରେ ଚାଲିଛି। ପୂର୍ବରୁ ଲେହ ଏବଂ ଥାଉସରେ ଏୟାରବେସ ରହିଛି।

ଏହା ବ୍ୟତୀତ ସ୍ବତନ୍ତ୍ର ଅପରେଶନ ପରିବହନ ବିମାନ ଏବଂ ହେଲିକପ୍ଟର ଅପରେଶନ ପାଇଁ ୩ ଟି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଅଛି, ଯେଉଁଥିରେ ନିଓମା, ଦୌଲତ ବେଗ ଓଲଡି, ଫୁକେ ଅନ୍ତର୍ଭୁକ୍ତ। ଗତ ତିନିବର୍ଷ ମଧ୍ୟରେ ଏଲଏସି ନିକଟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବାରେ ନିଓମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ପ୍ରଭାବଶାଳୀ ପ୍ରମାଣିତ ହେବ। ତେବେ ଏନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

Share