Categories: ଖେଳ

ଜୟନ୍ତୀଙ୍କୁ ତୃତୀୟ ସ୍ବର୍ଣ୍ଣ, ସୁଚିତ୍ରା ରୌପ୍ୟ

ଭୁବନେଶ୍ୱର, ୨୧।୩ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବୋଡ଼ିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସୋମବାର ଶେଷ ହୋଇଛି। ଅନ୍ତିମ ଦିବସରେ ପୁଣି ଚମକ ଦେଖାଇଛନ୍ତି ପାରା ଆଥଲେଟ୍‌ ଜୟନ୍ତୀ ବେହେରା। ପୂର୍ବରୁ ୪୦୦ ମିଟର ଓ ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଜୟନ୍ତି ମହିଳା ଟି୪୭ ବର୍ଗର ୨୦୦ ମିଟର ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏଥିସହ ସେ ଗୋଲ୍ଡେନ ଟ୍ରିପଲ ହାସଲ କରିଛନ୍ତି। ୨୦୦ ମିଟରରେ ଜୟନ୍ତି ୨୭.୩୮ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଆଇଜଣେ ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା ମହିଳା ଜାଭେଲିନ୍‌ ଥ୍ରୋ ଟି୫୫ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୧୪.୬୬ ମିଟର ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଏଥିସହ ଓଡ଼ିଶା ପ୍ରତିଯୋଗିମାନେ ମୋଟ ୯ ପଦକ ପାଇଁ ଅଭିଯାନ ଶେଷ କରିଛନ୍ତି।
୨୦୧୦ ପରେ ଅର୍ଥାତ୍‌ ଦୀର୍ଘ ୧୩ ବର୍ଷ ବ୍ୟବଧାନରେ ଓଡିଶା ପଦକ ସଂଖ୍ୟା ୯ ଛୁଇଁଛି। ଫଳରେ ଓଡ଼ିଶା ଦଳ ପଦକ ତାଲିକାରେ ୧୦ମସ୍ଥାନ ଅଧିକାର କରିଛି। ପାରାଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ, ପାରା ଆଲିମ୍ପିଆନ ମାର୍କଣ୍ଡ ରେଡ୍ଡୀ, କୋଚ୍‌ ବିଷ୍ଣୁ ପ୍ରସାଦ ମିଶ୍ର, ଓଡ଼ିଶା ପାରା ସ୍ପୋଟର୍‌ସ ସଂଘ କର୍ମକର୍ତ୍ତା ସୁନୀଲ ପ୍ରଧାନ ଓ ବଙ୍କିମ ଚନ୍ଦ୍ର ମହାନ୍ତି ପ୍ରମୁଖ ପ୍ରତିଯୋଗିତା ଅବସରରେ ପୁଣେରେ ଉପସ୍ଥିତ ଥିଲେ।

Share