Categories: ବାଣିଜ୍ୟ

ପ୍ରଭାବିତ ହୋଇପାରେ ଏକ ତୃତୀୟାଂଶ ବିଶ୍ୱ ଅର୍ଥନୀତି’

ନୂଆଦିଲ୍ଲୀ,୩।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୌଗୋଳିକ କାରଣରୁ ଚଳିତ ବର୍ଷ ବିଶ୍ବ ଅର୍ଥ ବ୍ୟବସ୍ଥା କଠିନ ସମୟ ଓ ମାନ୍ଦାବସ୍ଥା ଦେଇ ଗତି କରିପାରେ ବୋଲି ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଏମଡି କ୍ରିଷ୍ଟଲୀନା ଜାର୍ଜିଭର ମତପ୍ରକାଶ କରିଛନ୍ତି। ଏପରିକି ୨୦୨୩ରେ ବିଶ୍ବ ଅର୍ଥନୀତି ପାଇଁ କଠିନ ପରିସ୍ଥିତି ଓ ଅନେକ ସମସ୍ୟା ଆସିପାରେ ବୋଲି କ୍ରିଷ୍ଟଲୀନା ଚେତାବନୀ ଦେଇଛନ୍ତି। ସେହିଭଳି ଚଳିତ ବର୍ଷ ବୈଶ୍ବିକ ଅର୍ଥବ୍ୟବସ୍ଥା ଏକ ତୃତୀୟାଂଶ ମାନ୍ଦାବସ୍ଥା ଦେଇ ଗତି କରିବ ବୋଲି ଆଇଏମ୍‌ଏଫ ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି ଆମେରିକା, ୟୁରୋପୀୟ ସଂଘ ଏବଂ ଚାଇନାରେ ବ୍ୟାପକ ମାନ୍ଦାବସ୍ଥା ଲାଗି ରହିବା ସହ ଚଳତ ବର୍ଷ ୨୦୨୨ତୁଳନାରେ ଅଧିକ କଠିନ ରହିବ ବୋଲି କ୍ରିଷ୍ଟଲୀନା ଚେତାବନୀ ଦେଇଛନ୍ତି। ସେହିପରି ନିକଟରେ ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ଏକ ସାକ୍ଷାତକାରରେ କ୍ରିଷ୍ଟଲୀନା ଏଭଳି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦୀର୍ଘ ୧୦ ମାସ ବିତି ଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅବସାନ ହେଉନଥିବା ବେଳେ ଏହି ସମୟରେ ମୁଦ୍ରାସ୍ଫୀତି ମଧ୍ୟ ଦ୍ରୁତି ଗତିରେ ବୃଦ୍ଧି ପାଉଛି। ଫଳରେ ଉଚ୍ଚ ସୁଧ ହାର ଏବଂ ଚାଇନାରେ ପୁଣି ଥରେ କୋଭିଡ ସଂକ୍ରମଣର ଭୟାବହତା ବିଶ୍ୱ ମାନ୍ଦାବସ୍ଥାକୁ ଆହୁରି ଅଧିକ ଗତିଶୀଳ କରାଉଛି ବୋଲି କ୍ରିଷ୍ଟଲୀନା ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କୋଭିଡ ସଂକ୍ରମଣ ମଧ୍ୟ ଧୀରେ ଧୀରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଥିବାବେଳେ କ୍ରିଷ୍ଟଲୀନାଙ୍କ ଚେତାବନୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିଶେଷ କରି ସ୍ଥିତି ଏଭଳି ହୋଇପାରେ ଯେ ପୂର୍ବ ଲହରଗୁଡିକର ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ। ଯାହାଦ୍ୱାରା ଯେଉଁଠାରେ ମାନ୍ଦାବସ୍ଥା ନାହିଁ ସେଠାରେ ମଧ୍ୟ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ ବୋଲି ବିଶେଷଜ୍ଞମାନେ ମଧ୍ୟ ପୂର୍ବନୁମାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆଇଏମଏଫ୍‌ ଗତବର୍ଷ ଅକ୍ଟୋବରରେ ୨୦୨୩ ଆର୍ଥିକ ବୃଦ୍ଧି କମିବା ନେଇ ଆକଳନ କରିଥିଲା। ଏହି ପରିପ୍ରେକ୍ଷୀରେ ଆଇଏମଏଫ୍‌ କହିଥିଲା ଯେ ବୈଶ୍ବିକ ବୃଦ୍ଧି ହାର ୨୦୨୨ରେ ୩.୨% ରହିବ। ପରବର୍ତ୍ତୀ ସମୟରେ ଏହାର ପରିମାଣ ହ୍ରାସ ଘଟି ୨୦୨୩ରେ ପ୍ରାୟ ୨.୭% ହେବା ନେଇ ଆଇଏମଏଫ ପୂର୍ବ ଅନୁମାନ କରିଛି। ସେହିଭଳି ୨୦୨୧ ରେ ଏହା ପରିମାଣ ହାରାହାରି ୬% ରହିଥିଲା। ଏପରିକି ବୈଶ୍ବିକ ଆର୍ଥିକ ସଙ୍କଟ ଏବଂ କୋଭିଡ-୧୯ ମହାମାରୀ ସମୟକୁ ବାଦ୍‌ ଦେଲେ ସ୍ଥିତି ନିୟନ୍ତ୍ରଣରେ ରହିଥିଲା। ବିଶେଷ କରି ୨୦୦୧ପରେ ଏହି ଆର୍ଥିକ ବୃଦ୍ଧି ସବୁଠୁ କମ୍‌ ବୋଲି ଆକଳନ କରାଯାଉଛି। ସେହିପରି ଆଗାମୀ ୩ ମାସ ଚାଇନା ପାଇଁ ବେଶ୍‌ କଠିନ ହେବ ଏବଂ ବୈଶ୍ବିକ ବୃଦ୍ଧି ଉପରେ ତା’ର ନକାରାତ୍ମକ ପ୍ରଭାବ ପଡିବ ବୋଲି ଆଇଏମଏଫ୍‌ ଆଶଙ୍କା କରୁଛି।

Share