Categories: ଜାତୀୟ

ଅକ୍ଟୋବର ୨ରୁ ତୃତୀୟ ପର୍ଯ୍ୟାୟ ସ୍ବଚ୍ଛତା ଅଭିଯାନ

ନୂଆଦିଲ୍ଲୀ,୧୩।୯: କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରେ ଆରମ୍ଭ ହେବ। ଏଥିରୁ ସରକାର ୧ ହଜାର କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଶାସନିକ ସୁଧାର ଓ ସାଧାରଣ ଅଭିଯୋଗ (ଡିଏଆର୍‌ପିଜି) ବିଭାଗ ସଚିବ ଭି. ଶ୍ରୀନିବାସ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଧୀନ ବିଭାଗଗୁଡିକରେ ସ୍ବଚ୍ଛତା ବଜାୟ ପ୍ରତି ଧ୍ୟାନ ଦିଆଯାଉଛି। ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ୨୦୨୨ ଅକ୍ଟୋବରରେ ସ୍ବଚ୍ଛତା ଅଭିଯାନର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରୁ ୫୨୦ କୋଟି ଟଙ୍କା ଆୟ ହୋଇଥିଲା। ସେହିପରି ପ୍ରାୟ ୫୦ଲକ୍ଷ ଫାଇଲ ହଟାଇ ଦିଆଯାଇଥିଲା। ଫଳରେ ବିଭିନ୍ନ କାର୍ଯ୍ୟାଳୟର ପ୍ରାୟ ୧୭୨ ଲକ୍ଷ ବର୍ଗପୁଟ ସ୍ଥାନ ଖାଲି ହୋଇଥିଲା। ଏହା ବ୍ୟତୀତ ୩୧.୩୫ ଲକ୍ଷ ସାଧାରଣ ଅଭିଯୋଗ ମାମଲାର ସମାଧାନ କରାଯାଇଥିଲା। ତେଣୁ ତୃତୀୟ ସଂସ୍କରଣରୁ ୧ହଜାର କୋଟି ଟଙ୍କା ଆୟ ହେବ ବୋଲି ଆଶା କରାଯାଉଛି। ଶ୍ରୀନିବାସ କହିଛନ୍ତି, ଏକ ମାସଧରି ଅନୁଷ୍ଠିତ ହେବାକୁ ଥିବା ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣରେ ବିଭିନ୍ନ କାର୍ଯ୍ୟାଳୟର ୧୦୦ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଏହି ସ୍ବତନ୍ତ୍ର ଅଭିଯାନର ପ୍ରଥମ ସଂସ୍କରଣ ଅକ୍ଟୋବର ୨୦୨୧ରେ ଆରମ୍ଭ ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଅଟକି ରହିଥିବା କାମକୁ ଶେଷ କରିବା ଏବଂ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

Share