ତୃତୀୟ ଲହର ମୁକାବିଲା ନେଇ ଚର୍ଚ୍ଚା, ହସ୍ପିଟାଲର କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ…

ନୂଆଦିଲ୍ଲୀ,୧।୯: ଦେଶରେ କରୋନା ମହାମାରୀ ପୁଣି ସଙ୍କଟ ସୃଷ୍ଟି କରିବାକୁ ଯାଉଛି। କେରଳ ଏବଂ ଦେଶର ଅନ୍ୟ କେତେକ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏହାକୁ କେତେକ ବିଶେଷଜ୍ଞ କରୋନାର ତୃତୀୟ ଲହର ଭାବେ ଦେଖୁଛନ୍ତି। ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତୃତୀୟ ଲହର ମୁକାବିଲା ଲାଗି ଯୋଜନାବଦ୍ଧ ଭାବେ ରଣନୀତି ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ତୃତୀୟ ଲହର ପ୍ରଭାବ ହ୍ରାସ କରିବା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ଟିକାକରଣ ଅଭିଯାନ ବିଷୟରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କ୍ରମାଗତ ଭାବେ ଏହାର ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। କରୋନାକୁ ଦୃଷ୍ଟିରେ ରଖି ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାର ଆବଶ୍ୟକତା ରହିଛି ବୋଲିି ସୀତାରମଣ କହିଛନ୍ତି। ଦେଶରେ ତାଲିମପ୍ରାପ୍ତ ଡାକ୍ତର ଏବଂ ନର୍ସଙ୍କ ସଂଖ୍ୟା ବୃଦ୍ଧି ସହିତ ନମୁନା ପରୀକ୍ଷା ଅଧିକ ହେବା ଆବଶ୍ୟକ। ଏଥି ସହିତ ଛୋଟ ଏବଂ ମଧ୍ୟମ ସହରର ହସ୍ପିଟାଲଗୁଡ଼ିକର କ୍ଷମତା ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି। କରୋନା ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ସମ୍ପର୍କରେ ଅର୍ଥମନ୍ତ୍ରୀ ଏକ ୱେବନାରରେ ଏଭଳି କହିଛନ୍ତି।

ଏହି ଅବସରରେ ନୀତି ଆୟୋଗର ସଦସ୍ୟ ତଥା କରୋନା ସହ ଜଡିତ ଟାସ୍କଫୋର୍ସର ଅଧ୍ୟକ୍ଷ ଡ .ଭି.କେ ପାଲ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଶଯ୍ୟା ସଂଖ୍ୟା କମ ଥିବା କହିଛନ୍ତି। ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ଡ.ପାଲ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୧୦୦୦ ଜଣ ବ୍ୟକ୍ତିଙ୍କ ପାଇଁ କେବଳ ଗୋଟିଏ ଶଯ୍ୟା ଉପଲବ୍ଧ ଯାହାକି ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଏହା ହଜାରେ ଲୋକଙ୍କ ପାଇଁ ଅତି କମରେ ଦୁଇଟି ଶଯ୍ୟା କରିବା ଆବଶ୍ୟକ। ଭି.କେ ପାଲ କହିଛନ୍ତି ଯେ ବର୍ତ୍ତମାନର ଶଯ୍ୟା ସଂଖ୍ୟାକୁ ପ୍ରାୟ ୧୨ ଲକ୍ଷରୁ ୨୪-୨୫ ଲକ୍ଷକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଶଯ୍ୟା ଅଭାବ ଯୋଗୁ କରୋନା ପରି ମହାମାରୀର ମୁକାବିଲା କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ସେ କହିଛନ୍ତି।

ୱେବନରରେ ଯୋଗ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ କରୋନା ଆରମ୍ଭରୁ ସରକାର ନିରନ୍ତର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ମଧ୍ୟରେ ସାରା ଦେଶରେ ସରକାରୀ ହସ୍ପିଟାଲରେ ପ୍ରାୟ ୧୬୦୦୦ ଭେଣ୍ଟିଲେଟର ଥିବାବେଳେ ଗତ ଦେଢ଼ ବର୍ଷ ମଧ୍ୟରେ ଏହାକୁ ୬୦,୦୦୦ରୁ ଅଧିକରେ ପହଞ୍ଚିଛି।

Share