ନାଗପୁର,୭।୯: ପୁଣି ବିପଦ ମାଡ଼ି ଆସୁଛି। ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ନୀତିନ ରାଉତ ଏନେଇ ସୂଚନା ଦେଇଛନ୍ତି। ନାଗପୁରରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଛନ୍ତି।
କରୋନାର ତୃତୀୟ ଲହର ନେଇ ସତର୍କ ସୂଚନା ଜାରି କରାଯାଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କିତ କଟକଣା ଏବଂ ମାଗଦର୍ଶିକା ଜାରି କରାଯିବ ବୋଲି ସେ କହିଛନ୍ତି। ଆଲୋଚନା ପରେ ପୁଣି ଦୋକାନ ବଜାର ବନ୍ଦ କରାଯିବ। ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି କଟକଣା ଜରୁରୀ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରବିବାର ନାଗପୁରରେ ୧୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ସୋମବାର ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସ୍ଥାନୀୟ ମହାନଗର ନିଗମ କମିଶନର ରାଧାକୃଷ୍ଣ ବି.ଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି।