ତୃତୀୟ ଲହର ଯୋଗୁ ରାଜଧାନୀରେ ଆତଙ୍କ ସୃଷ୍ଟି ହେବା ଆଶଙ୍କା: ଅକ୍ସିଜେନ୍‌ ଷ୍ଟକ୍‌ ଲାଗି ପରାମର୍ଶ …

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଅକ୍ସିଜେନ୍‌ ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏପରିସ୍ଥଳେ ଦେଶରେ ତୃତୀୟ ଲହରର ଆଶଙ୍କା ନେଇ ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରିସାରିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଅକ୍ସିଜେନ୍‌ ଷ୍ଟକ୍‌ ବଢ଼ାଇବା ଲାଗି ଦିଲ୍ଲୀ ଆଇଆଇଟି ପକ୍ଷରୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣର ତୃତୀୟ ଲହରର ମୁକାବିଲା ଲାଗି ପୂର୍ବ ପ୍ରସ୍ତୁତି ଜରୁରୀ ବୋଲି ଆଇଆଇଟି କହିଛି। ଦିଲ୍ଲୀ ସରକାର ୨୦୦ ଏମ୍‌ଟିରୁ ୩୫୦ ଏମ୍‌ଟି ପର୍ଯ୍ୟନ୍ତ ଅକ୍ସିଜେନ୍‌ ଷ୍ଟୋରେଜ୍‌ କରିବା ଉପରେ ଆଇଆଇଟି ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ସେହିପରି ରାଜଧାନୀରେ ଥିବା ୫୧ଟି ହସ୍ପିଟାଲରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ୨୫୦ରୁ ୪୫୦ ଏମ୍‌ଟି ପର୍ଯ୍ୟନ୍ତ ଅକ୍ସିଜେନ୍‌ ଗଚ୍ଛିତ ରଖିବାର ଆବଶ୍ୟକତା ରହିଥିବା ଆଇଆଇଟି ପକ୍ଷରୁ କୁହାଯାଇଛି। ୨୬ ହସ୍ପିଟାଲରେ ୫୦୦ ଏମ୍‌ଟି ଅକ୍ସିଜେନ୍‌ ମହଜୁଦ୍‌ ରହିଛି। ଏହାକୁ ଦିଲ୍ଲୀ ସରକାର ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ। ସେହିପରି ଅକ୍ସିଜେନ୍‌ ରିଫିଲିଂ କ୍ଷମତା ବୃଦ୍ଧି କରାଯିବା ଉପରେ ଆଇଆଇଟି ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

Share