ଶେଷ ମୁହାଁ ତୃତୀୟ ଲହର…

ନୂଆଦିଲ୍ଲୀ, ୧୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର ୧୮୪ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୦୪ ରହିଛି।

ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ତୃତୀୟ ଲହର ଥମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୫୦ ହଜାର ତଳେ ପହଞ୍ଚିଛି। ଏହା ୪୪ ହଜାର ୪୮୮ ରହିଛି। ସେହିପରି ୨୪ ଘଣ୍ଟାରେ ୬ ହଜାର ୫୫୪ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୫ ହଜାର ୪୫୯ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୯ ଲକ୍ଷ ୮୦ ହଜାର ୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୨୦ ହଜାର ୧୨୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୯ କୋଟି ୫୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୧୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୭ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୧,୪୨୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ମିଜୋରାମରେ ୪୭୪ ଏବଂ ମହାରାଷ୍ଟ୍ରରେ ୩୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share