ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍‌ଲକ୍‌ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…

ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ରାଜ୍ୟ ସରକାର ବୁଝି ବିଚାରି ଅନ୍‌ଲକ୍‌ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ବହୁ ରାଜ୍ୟରେ ଲୋକେ କରୋନା ମାର୍ଗଦର୍ଶିକାକୁ ପାଳନ କରୁ ନ ଥିବାରୁ ତୃତୀୟ ଲହରରେ ସଂକ୍ରମଣ ଅଧିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ସଚେତନ କରାଇବା ସହିତ ସାବଧାନ ସହିତ ଅନ୍‌ଲକ୍‌ କରିବାକୁ କେନ୍ଦ୍ର କହିଛି। କରୋନା ଲଢ଼େଇରେ ୫ ସ୍ତରୀୟ ରଣନୀତି ଆପଣେଇବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି। ଏହି ରଣନୀତି ଅପରିହାର୍ଯ୍ୟ ଥିବା କେନ୍ଦ୍ର ସରକାର କହିଛନ୍ତି। ଦେଶରେ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆଶଙ୍କା ଥିବା ନେଇ ଏମ୍ସ୍‌ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆଙ୍କ ସତର୍କ ସୂଚନା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share