ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଣିତିକ ମଡେଲ ଆଧାରରେ ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନ ନ କଲେ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିବ। ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଦ୍ୱାରା ଗଠିତ ହୋଇଥିବା ପ୍ୟାନେଲ ସଦସ୍ୟ ମନିନ୍ଦ୍ର ଅଗ୍ରଓ୍ବାଲଙ୍କ ଅନୁସାରେ ନୂଆ ଭାରିଆଣ୍ଟ୍‌ ଯୋଗୁ ଦେଶରେ ତୃତୀୟ ଳହର ଆସିବାର ଆଶଙ୍କା ରହିଛି। ତେବେ ଲୋକଙ୍କୁ ଭାକ୍ସିନ୍‌ ପ୍ରଦାନ କରାଯାଇଥିବାରୁ ତୃତୀୟ ଲହର ତୀବ୍ର ବେଗରେ ଲୋକଙ୍କୁ ଆକ୍ରାନ୍ତ କଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମିବ। ତୃତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ୧.୫ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ହେବାର ଆଶଙ୍କା ରହିଛି। ମାତ୍ର ଦ୍ୱିତୀୟ ଲହରରେ ମେ’ ମାସରେ ଦେଅନିକ ସଂକ୍ରମଣ ୪.୧୪ ଲକ୍ଷ ଛୁଇଁଥିଲା। ତୃତୀୟ ଲହର ଦୈନିକ ସଂକ୍ରମଣ ସଂଖ୍ୟା ଦ୍ୱିତୀୟ ଲହର ସଂକ୍ରମଣର ଅଧାରେ ପହଞ୍ଚିବ ବୋଲି ପ୍ରକାଶିତ ରିପୋର୍ଟରେ ସୂଚିତ କରାଯାଇଛି। ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ଲହର କମିବାରେ ଲାଗିବ। ଏହାପରେ ଅଗଷ୍ଟ ଶେଷ ଏବଂ ସେପ୍ଟମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share