୧୩ ଚେକ୍‌ଡ୍ୟାମ୍‌ ଅଚଳ

କେସିଙ୍ଗା,୧୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି ଚେକଡ୍ୟାମ ଏବଂ କର୍ଲାମୁଣ୍ଡା ସେକ୍ସନ ଅଧୀନ ବ୍ଲକର ତୁଣ୍ଡଲା, ହାତୀଖୋଜ, ବେଲଖଣ୍ଡି, ଅମାଠ ଅଞ୍ଚଳରେ ୬ଟି ମୋଟ ୫୫ଟି ଚେକଡ୍ୟାମ ନିର୍ମାଣ ହୋଇଛି। କେସିଙ୍ଗା ସେକ୍ସନରେ ନିର୍ମାଣ ୪୯ଟି ଚେକଡ୍ୟାମ ମଧ୍ୟରୁ ୧୩ଟି ଚେକଡ୍ୟାମ ନିମ୍ନମାନର କାମ ଓ ଲଘୁଚାପଜନିତ ବନ୍ୟାରେ ଭାଙ୍ଗି ଯାଇଛି। ୩୬ଟି ଚେକଡ୍ୟାମ ଗାର୍ଡୱାଲ, ସ୍ଲାପ, ଟ୍ରଙ୍କର ଭାଙ୍ଗି ଯାଇ ନଷ୍ଟ ହୋଇଛି। ଫଳରେ ବର୍ଷା ଜଳ ଗଚ୍ଛିତ ହୋଇ ନ ରହୁଥିବାରୁ ଚାଷୀମାନେ ଚାଷ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକରେ ୪୯ଟି ଚେକଡ୍ୟାମର ହାରାହାରି ୨୮ଲକ୍ଷ ହିସାବରେ ୧୩ କୋଟି ୭୨ଲକ୍ଷ ଟଙ୍କା ନଷ୍ଟ ହୋଇଛି। ଚେକଡ୍ୟାମ ନିମ୍ନମାନର କାମ କରିଥିବାରୁ ଗୋଟିଏ ବର୍ଷ ମଧ୍ୟରେ ବର୍ଷାରେ ଭାଙ୍ଗି ନଷ୍ଟ ହେଉଛି। ବ୍ଲକର କଛାରପଦର, ମହୁଲପଡା, ଅମଠା, ଉତ୍କେଲା ଆଦି ଅଞ୍ଚଳରେ ନିମ୍ନମାନର ଚେକଡ୍ୟାମ ନିର୍ମାଣ କରାଯାଇ ଥିବାରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ଚାଷୀମାନେ ସ୍ବଳ୍ପବର୍ଷାରେ ଚେକଡ୍ୟାମରୁ ଜଳସେଚନର ସୁବିଧା ପାଇବା ପାଇଁ ଆଶା ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରି କାମରେ ସର୍ବନାଶ ହେଉଛି। ଚାଷୀମାନେ ବହୁବାର ବିଭାଗୀୟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର, ଜେଇଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଚାଷୀମାନେ ଜଳସେଚନ ସୁବିଧା ନ ଥିବାରୁ ଧାନ ଚାଷ କିମ୍ବା ଅନ୍ୟାନ୍ୟ ଚାଷରେ ଘୋର ସମସ୍ୟା ସମ୍ମୁଖୀନ ହେଉଛନ୍ତି। ରାଜ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଚିଫ ଇଞ୍ଜିନିୟର ଏଥିପ୍ରତି ଦୃଷ୍ଟି ଦେଇ ଭାଙ୍ଗିଯାଇଥିବା ଚେକଡ୍ୟାମ ପୁନଃ ନିର୍ମାଣ ପାଇଁ ଚାଷୀମାନେ ଦାବି କରିଛନ୍ତି। ବ୍ଲକର ବିଭିନ୍ନ ଗ୍ରାମର ଚାଷୀମାନେ କେସିଙ୍ଗାସ୍ଥିତ ବିଭାଗୀୟ ଯନ୍ତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ପାରି ନାହିଁ। ତୁରନ୍ତ ଭଗ୍ନ ଚେକଡ୍ୟାମର ପୁନଃ ନିର୍ମାଣ ନ ଗଲେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ନାଏକଙ୍କୁ ପଚାରିବାରୁ ଆମ ବିଭାଗ ଚିଫ ଇଞ୍ଜିନିୟରଙ୍କୁ ସର୍ଭେ କରି ପ୍ରସ୍ତାବ ଦିଆଯାଇଛି। ଟଙ୍କା ମଞ୍ଜୁର କଲେ ଡିସେମ୍ବର ସୁଦ୍ଧା ଭାଙ୍ଗି ଥିବା ଚେକଡ୍ୟାମ ମରାମତି କରାଯିବ ବୋଲି କହିଥିଲେ।