Categories: ଜାତୀୟ

ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଲାନ୍‌ସେଟ୍‌ର ଇ-କ୍ଲିନିକାଲ ମେଡିସିନ୍‌ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଅନ୍ୟ ଦେଶଗୁଡ଼ିକ ହେଲେ ଚାଇନା, ବ୍ରିଟେନ୍‌, ବ୍ରାଜିଲ, ରୁଷିଆ, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା। ବିଶ୍ୱରେ ପ୍ରତିବର୍ଷ କ୍ୟାନ୍‌ସରରେ ଯେତିକି ମୃତ୍ୟୁ ଘଟୁଛି, ତାହାର ଅଧାରୁ ଅଧିକ ଉପରୋକ୍ତ ୭ ଦେଶରେ ହେଉଛି। ଧୂମପାନ ସହିତ ମଦ୍ୟପାନ, ମେଦବହୁଳତା, ହ୍ୟୁମାନ୍‌ ପାପିଲୋମା ଭାଇରସ୍‌(ଏଚ୍‌ପିଭି) ସଂକ୍ରମଣ ଯୋଗୁ ମୋଟ ୨୦ ଲକ୍ଷ ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା (ଆଇଏଆର୍‌ସି), ଲଣ୍ଡନର କୁଇନ୍‌ ମେରି ବିଶ୍ୱବିଦ୍ୟାଳୟ ଏବଂ କିଙ୍ଗସ୍‌ କଲେଜ ଲଣ୍ଡନର ଗବେଷକମାନେ ଏହି ଅଧ୍ୟୟନ କରିଛନ୍ତି। କର୍କଟ ରୋଗ ଯୋଗୁ ଆୟୁଷ କମୁଥିବା ଉପରେ ମଧ୍ୟ ସେମାନେ ଅଧ୍ୟୟନ କରିଥିଲେ। ଉପରୋକ୍ତ ୪ଟି ପ୍ରତିକାରାତ୍ମକ ରିସ୍କ ଫ୍ୟାକ୍ଟର ଯୋଗୁ ପ୍ରତିବର୍ଷ ୩୦ ନିୟୁତରୁ ଊର୍ଦ୍ଧ୍ୱ ବର୍ଷ ବୟସ କ୍ଷୟ ହେଉଛି। ଆୟୁଷ ହ୍ରାସ ପାଇବାରେ ସବୁଠୁ ବଡ଼ ପ୍ରଭାବ ଧୂମପାନର ରହିଛି। ଏଥିପାଇଁ ଜୀବନର ୨୦.୮ ନିୟୁତ ବର୍ଷ ହ୍ରାସ ପାଉଥିବା ଗବେଷଣାରେ କୁହାଯାଇଛି।
ସାରା ବିଶ୍ୱରେ ପ୍ରତି ୨ ମିନିଟ୍‌ରେ ସର୍ଭିକାଲ କ୍ୟାନ୍‌ସରରେ ଜଣେ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହି ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ଘଟୁଛି। ବିସ୍ତୃତ ଯାଞ୍ଚ ଏବଂ ଏଚ୍‌ପିଭି ଟିକାକରଣ କାର୍ଯ୍ୟକ୍ରମ ଦ୍ୱାରା ଏହାକୁ ଯଥେଷ୍ଟ କମାଇ ଦିଆଯାଇପାରିବ ବୋଲି କୁଇନ୍‌ ମେରି ୟୁନିଭର୍ସିଟିର ବରିଷ୍ଠ ଅଧ୍ୟାପକ ଜୁଡ଼ିଥ୍‌ ଅଫ୍‌ମାନ କହିଛନ୍ତି। ଭାରତରେ ମସ୍ତିଷ୍କ ଓ ଗଳା କର୍କଟ ଯୋଗୁ ସମୟ ପୂର୍ବରୁ ଅଧିକ ପୁରୁଷଙ୍କ ମୃତ୍ୟୁ ହେଉଥିଲାବେଳେ ଜିନାକୋଲୋଜିକାଲ କ୍ୟାନ୍‌ସରରେ ଅଧିକ ମହିଳା କମ୍‌ ବୟସରେ ପ୍ରାଣ ହରାଉଛନ୍ତି। ଧୂମପାନ ଯୋଗୁ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ଜୀବନର ଅଧିକାଂଶ ବୟସ ହରାଇବାକୁ ପଡ଼ୁଛି। ସାଧାରଣତଃ ଧୂମପାନ ଓ ମଦ୍ୟପାନ ଜନିତ କ୍ୟାନ୍‌ସରରେ ଅଧିକ ସଂଖ୍ୟାରେ ପୁରୁଷଙ୍କର ଆୟୁଷ ପୂର୍ବରୁ ମୃତ୍ୟୁ ଘଟୁଛି। ଭାରତ, ଚାଇନା, ରୁଷିଆରେ ଏଭଳି ସମୟ ପୂର୍ବରୁ ମୃତ୍ୟୁ ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ୯ ଗୁଣ ଅଧିକ। ଅନ୍ୟପକ୍ଷରେ ମେଦବହୁଳତା ଓ ଏଚ୍‌ପିଭି ସଂକ୍ରମଣଜନିତ କ୍ୟାନ୍‌ସରରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳାଙ୍କ ମୃତ୍ୟୁ ହେଉଛି।

Share