Categories: ଜାତୀୟ

ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ

ଗଡ଼ଚିରୋଲି,୨୨ା୫: ମହାରାଷ୍ଟ୍ର ପୋଲିସକୁ ଶୁକ୍ରବାର ବଡ଼ ସଫଳତା ମିଳିଛି। ଗଡ଼ଚିରୋଲି ଜିଲା ଏଟାପଲ୍ଲୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ବୋଲି ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ଓ୍ବାଲ୍‌ସେ ପାଟିଲ ସୂଚନା ଦେଇଛନ୍ତି।
ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ପୋଲିସକୁ ଗୋଇନ୍ଦା ସୂଚନା ମିଳିଥିଲା। ସି-୬୦ କମାଣ୍ଡୋମାନେ ସେଠାକୁ ଯାଇ ସକାଳ ୬ଟାରେ ତଲାସି ଚଳାଇଥିବାବେଳେ ମାଓବାଦୀମାନେ ଗୁଳିବର୍ଷା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଦେଢ଼ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବଳର ଗୁଳିମାଡ଼ରେ ୭ ମହିଳା ଓ ୬ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪-୫ ଜଣ ଆହତ ହୋଇ ଜଙ୍ଗଲରେ ଲୁଚିଯାଇଥିଲେ। ଆଣ୍ଟାଇ ନକ୍ସଲ ଅପରେଶନ୍ସ (ଏଏନ୍‌ଓ)ର ଜଣେ ମୁଖପାତ୍ର କହିଛନ୍ତି, ମାଓବାଦୀମାନେ ବଟି ଅସୁଲ ପାଇଁ ସ୍ଥାନୀୟ ଗ୍ରାମଗୁଡ଼ିକୁ ଯିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଥିଲା। ସି-୬୦ କମାଣ୍ଡୋର ଏକ ଟିମ୍‌ ଜଙ୍ଗଲରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲା। ସେହି ସମୟରେ ୬୦-୭୦ ଜଣ ସଶସ୍ତ୍ର ମାଓବାଦୀ ପୋଲିସ ଟିମ୍‌କୁ ଟାର୍ଗେଟ କରି ଆଖିବୁଜା ଗୁଳି ଚଳାଇଥିଲେ। ପୋଲିସ ପ୍ରଥମେ ମାଓବାଦୀଙ୍କୁ ଆମତ୍ସମର୍ପଣ ପାଇଁ ଅନୁରୋଧ କରିଥିଲା, ଯାହାକୁ ସେମାନେ ଶୁଣି ନ ଥିଲେ। ଏନ୍‌କାଉଣ୍ଟର ସ୍ଥଳରୁ କସାନସୁର ଦଳମ୍‌ର ୧୩ ମାଓବାଦୀଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରୁ ଏକେ-୪୭, ଏସ୍‌ଏଲ୍‌ଆର୍‌, କାର୍ବାଇନ୍‌, ୩୦୩ ରିଭଲଭର, ୧୨-ବୋର ରାଇଫଲ୍‌ ଭଳି ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଏକ ଅସ୍ଥାୟୀ ଶିବିର କରିଥିବା ମନେହେଉଛି। ଜିଲା ତଥା ଆଖପାଖ ଅଞ୍ଚଳର ପୋଲିସକୁ ହାଇଆଲର୍ଟରେ ରଖାଯାଇଛି। ଘଟଣା ପରେ ଗୃହମନ୍ତ୍ରୀ ଦିଲୀପ ଗଡ଼ଚିରୋଲି ପୋଲିସ ମୁଖ୍ୟାଳୟକୁ ଯାଇ ସଞ୍ଜୟ ସାକ୍ସେନା, ସନ୍ଦୀପ ପାଟିଲ, ଅଙ୍କିତ ଗୋୟଲ, ମନୀଷ କଲଭାନିୟା, ସମୀର ଶୈଖ୍‌ ଓ ସୋମୟ ମୁଣ୍ଡେ, ଭାଉସାହେବ ଢୋଲେଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଛତିଶଗଡ଼ ପ୍ରତିପକ୍ଷ ଭୂପେଶ ବଘେଲଙ୍କ ସହ ସୀମାପାର ମାଓବାଦ ଓ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିବେ ବୋଲି ଗୃହମନ୍ତ୍ରୀ କହିଛନ୍ତି।

Share