କରୋନା ବିଫଳତା ନେଇ ୧୩ ଦଳର ପ୍ରତିବାଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଶୁକ୍ରବାର କଂଗ୍ରେସ ସମେତ ରାଜ୍ୟର ୧୩ ରାଜନୈତିକ ଦଳ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲାବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଏହାସହ ଦେଶର କୋଭିଡ୍‌ ଟେଷ୍ଟିଂ ହାର ଯଥେଷ୍ଟ କମ୍‌ ରହିଥିବାରୁ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ରାଜନୈତିକ ଦଳଗୁଡିକ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ଦୁର୍ଦ୍ଦଶା ଭୋଗୁଥିବା ପ୍ରବାସୀ ତଥା ଆୟକର ପରିସରଭୁକ୍ତ ହୋଇ ନ ଥିବା ପରିବାରକୁ ମାସିକ ୭ହଜାର ୫୦୦ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି। କରୋନା ମହାମାରୀ ପରିଚାଳନାରେ ବିଫଳତା ସହିତ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇଥିବା ସମ୍ପର୍କରେ ମଧ୍ୟ ଅଭିଯୋଗ ଆଣିଛନ୍ତି।
ଏନେଇ ବିକ୍ଷୋଭକାରୀ କହିଛନ୍ତି ଯେ, ଆମେ ସମସ୍ତେ ଏକ ସର୍ବ ନିମ୍ନ ଦାବିକୁ ଭିତ୍ତିକରି ୧୩ଟି ରାଜନୈତିକ ଦଳ ଏକାଠି ହୋଇଛୁ। ବର୍ତ୍ତମାନ ବିଚାର କରୁଛୁ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସଙ୍କୁଚିତ କରିବାକୁ ଲକ୍‌ଡାଉନ ଓ ଶଟ୍‌ଡାଉନକୁ ବ୍ୟବହାର କରାଯାଉଛି। ଲକ୍‌ଡାଉନ କେବେହେଲେ କୌଣସି ରୋଗର ଓଷଧ ନୁହେଁ। ଯେତିକି କରୋନା ପରୀକ୍ଷା ହେବା କଥା ସେତିକି ହେଉନାହିଁ। କେନ୍ଦ୍ର ସରକାର କହିଲେ କରୋନା ଲକ୍ଷଣ ନ ଥିଲେ ଟେଷ୍ଟ କରନାହିଁ, ତାହା ଠିକ୍‌ ନୁହେଁ। ସମସ୍ତଙ୍କ ଟେଷ୍ଟ ନିମନ୍ତେ ଦାବି କରାଯାଉଛି। ପ୍ରତ୍ୟେକ ପରିବାରକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମୁଣ୍ଡ ପିଛା ୧୦ କେଜି ଚାଉଳ କିମ୍ବା ଗହମ ମାଗଣାରେ ଦିଆଯାଉ। ଏହାସହ ପିପିଇ, ମାସ୍କ ଓ ସାନିଟାଇଜ କିଣା ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି। ପ୍ରତିନିଧି ଦଳ ଉପରୋକ୍ତ ସମସ୍ୟାଗୁଡିକ ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୭ ଦଫା ଦାବି ପୂରଣ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

Share