ପାଣି ପିଇ ଇସ୍ପାତ ସ୍କୁଲର ୧୩ ଛାତ୍ରୀଛାତ୍ର ଅସୁସ୍ଥ

ରାଉରକେଲା ଅଫିସ,୧।୪: ରାଉରକେଲା ଇସ୍ପାତ ବିଦ୍ୟାଳୟର ୧୩ଜଣ ଛାତ୍ରୀଛାତ୍ର ପାଣି ପିଇ ଶୁକ୍ରବାର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଆଇଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ର ସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନ ବିରତି ସମୟରେ ପିଲାମାନେ ନିଜ ଘରୁ ଆଣିଥିବା ଖାଦ୍ୟ ଖାଇସାରି ପାଣି ପିଇବାର ଅଧଘଣ୍ଟା ପରେ ୧୩ଜଣ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ପେଟ ମୋଡିବା, ମୁଣ୍ଡ ବିନ୍ଧିବା ଓ କାଶ ଆରମ୍ଭ ହୋଇଥିଲା। ପିଲାମାନେ ଅସୁସ୍ଥ ହେବା ଜାଣି ସେମାନଙ୍କୁ ତୁରନ୍ତ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଆର୍‌ଏସ୍‌ପିର କାର୍ମିକ ଓ ପ୍ରଶାସନ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ପି. କେ. ଶତପଥୀ ହସ୍ପିଟାଲରେ ପହଞ୍ଚତ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏ ସମ୍ପର୍କରେ ଆର୍‌ଏସ୍‌ପିର ପିଆର୍‌ଓ ଶଶାଙ୍କ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସେମାନଙ୍କୁ ଚିକିତ୍ସା କରିବା ପାଇଁ ସ୍ପତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ପିଲାମାନଙ୍କ ଅସୁସ୍ଥ ହେବାର କାରଣ ଅନୁଧ୍ୟାନ କରାଯାଉଛି ବୋଲି ପଟ୍ଟନାୟକ କହିଥିଲେ।

Share