ନୂଆଦିଲ୍ଲୀ ,୧୯।୧୨(ଆଇଏଏନ୍ଏସ୍): ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରର ୩ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାରିୟର ଆଶାୟୀଙ୍କ ଆତ୍ମହତ୍ୟା ଘଟଣା ବିତର୍କର ବିଷୟ ହୋଇଛି। ଜଟିଳ ପ୍ରତିଯୋଗିତା ଏବଂ ଅତ୍ୟଧିକ ଚାପକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଦେଶରେ ପ୍ରତିବର୍ଷ ଏଭଳି ଅନେକ ଆତ୍ମହତ୍ୟା ଘଟୁଛି। ଶିକ୍ଷା କ୍ୟାରିୟରରେ ବିଫଳ ହେବା ଭୟରେ ଗତବର୍ଷ ୧୩,୦୮୯ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟରୁ ଜଣାପଡ଼ିଛି। ଏଥିରେ ମହାରାଷ୍ଟ୍ର ଶୀର୍ଷରେ ରହିଛି।
ଗତ କିଛିବର୍ଷ ହେବ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୨୦ ତୁଳନାରେ ୨୦୨୧ରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ପାଖାପାଖି ୪.୫ ପ୍ରତିଶତ ବଢ଼ିଛି। ମୋଟ ଆତ୍ମହତ୍ୟାର ପ୍ରାୟ ୫୦ ପ୍ରତିଶତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ନାଟକ ଏବଂ ଓଡ଼ିଶାରେ ଘଟିଥିଲା।
ତଥ୍ୟ ଅନୁଯାୟୀ ମୋଟ ଛାତ୍ରୀଛାତ୍ର ଆତ୍ମହତ୍ୟା ମଧ୍ୟରୁ ୧,୮୩୪ (୧୪%) ମହାରାଷ୍ଟ୍ରରେ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧,୩୦୮(୧୦%), ତାମିଲନାଡୁରେ ୧,୨୪୫ (୯.୫%) ଏବଂ କର୍ନାଟକରେ ୮୫୫ (୬.୫%) ଘଟିଛି। ଆତ୍ମହତ୍ୟାର କାରଣ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ନ ଥିଲେ ହେଁ ପରୀକ୍ଷାରେ ବିଫଳତା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଇଛି। ଏନ୍ଇଇଟି-ୟୁଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଗତ ସେପ୍ଟେମ୍ବର ୮ରେ ଗ୍ରେଟର ନୋଏଡା ଜେପି ଅମନ ସୋସାଇଟିର ଜଣେ ୨୨ ବର୍ଷୀୟ ଛାତ୍ରୀ ୯ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଏନ୍ଇଇଟିରେ ଫେଲ୍ ହୋଇଥିବା ଚେନ୍ନାଇର ଜଣେ ଛାତ୍ରୀ ଜୁନ୍ ୩୦ରେ ଆତ୍ମହତ୍ୟା କରିଥିଲେ। ମଧ୍ୟପ୍ରଦେଶର ୨ ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଏପ୍ରିଲ ୩୦ରେ ଅନୁରୂପ କାରଣରୁ ଜୀବନ ଦେଇଥିଲେ।
ଛାତ୍ରୀଛାତ୍ରଙ୍କ ଦୁଶ୍ଚିନ୍ତା ଓ ଭେଦଭାବ ଦୂର ଲାଗି ସରକାର ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବିଭିନ୍ନ ପଦକ୍ଷେପ ନେଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି। ସେମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ୟୁଜିସି (ଅଭିଯୋଗ ସମାଧାନ)ନିୟମାବଳୀ, ୨୦୧୯ ପ୍ରଣୟନ ହୋଇଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ ଲାଗି ୨୦୦୯ରେ ୟୁଜିସି ନିୟମାବଳୀ ଆଣିଥିଲା। ଏହା ବ୍ୟତୀତ ଶିକ୍ଷା ଚାପ କମାଇବା ପାଇଁ ସହକର୍ମୀଙ୍କ ସହାୟତାରେ ଶିକ୍ଷା, ପିଲାଙ୍କ ପାଇଁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ ଆଦି ପଦକ୍ଷେପ ନିଆଯାଇଛି।