
ବାଲିଗୁଡ଼ା,୬ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ରବିବାର ଉଦ୍ଯାପିତ ହୋଇଯାଇଛି। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଏହି ଅବସରରେ ରୁତୁଙ୍ଗିଆ, ବଲସକୁମ୍ପା, ମେଲସିକିଆ, ରେବିଙ୍ଗିଆ, ରାଇକିଆ, ବାଲିଗୁଡା, ପୋଖରୀବନ୍ଧ, ଲେତିଙ୍ଗିଆ, ଡ଼ାକା, ବାଟାଗୁଡ଼ା, ସିଟୁପଡ଼ି, କତେରୀଭଟ୍ଟା, ଓ ଗ୍ରୀନବାଡ଼ି ଗ୍ରାମର ଦଣ୍ଡଥଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ। ରବିବାର ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ବରଣ କରାଯାଇଥିଲା। ମଧ୍ୟାହ୍ନରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଅରଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ, ବୀଣାକାର, ବିଲରେ ଧାନରୁଆ ଆଦି ନାଟକ ବେଶ୍ ଆକର୍ଷିତ କରିଥିଲା।