୩୮ ବର୍ଷ ପରେ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ୱର,୨୭।୪(ବ୍ୟୁରୋ):ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ଦୀର୍ଘ ୩୮ ବର୍ଷ ପରେ କୋର୍ଟ ରାୟ ଶୁଣାଇଛନ୍ତି। ବୁଧବାର ମାମଲାର ବିଚାର କରି ଭୁବନେଶ୍ୱର କମାଣ୍ଡ ଏରିଆ ଡଭେଲପମେଣ୍ଟ ଏଜେନ୍ସି (କାଡ଼ା-୧)ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ସାହୁଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ କହିଛନ୍ତି।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୯୮୪ ମସିହା ମାର୍ଚ୍ଚ ୯ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗଙ୍ଗାଧରଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ପ୍ରକୃତ ଆୟରୁ ୪ ଲକ୍ଷ ୬ ହଜାର ୨୨୦ ଟଙ୍କାର ଆୟ ବହିର୍ଭୂତ୍ତ ସମ୍ପତ୍ତି ଠାବ କରାଯାଇଥିଲା। ଏନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧୦/୧୯୮୪) ରୁଜୁ କରାଯାଇଥିଲା। ମାମଲାରେ ଅଭିଯୁକ୍ତ ଗଙ୍ଗାଧରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରବର୍ତ୍ତି ସମୟରେ ସେ କୋର୍ଟରୁ ଜାମିନ୍‌ରେ ମୁକୁଳିଥିଲେ। ତଦନ୍ତ ବେଳେ ସେ ସରକାରୀ ଯୋଜନାରେ ଦୁର୍ନୀତି କରି ଆୟ ବହିର୍ଭୁତ୍ତ ସମ୍ପତ୍ତ ଠୁଳ କରିଥିଲେ ବୋଲି ଜଣାପଡ଼ିଥିଲା। ତେବେ ଏହି ମାମଲାରେ କଟକ ଭିଜିଲାନ୍ସ ଡିଭିଜନ୍‌ର ପୂର୍ବତନ ଅତିରିକ୍ତ ଏସ୍‌ପି ବି.ବି ମହାପାତ୍ର ତଦନ୍ତ କରୁଥିବା ବେଳେ ସ୍ବତନ୍ତ୍ର କୋର୍ଟର ସରକାରୀ ଓକିଲ ଅଜିତ୍‌ କୁମାର ପଟ୍ଟନାୟକ ମାମଲାର ପରିଚଳନା କରୁଥିଲେ।

 

Share