ବିଶାଖାପାଟଣାରୁ ଆସିଲା ୩୦ ଜେନେରେଟର

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ସମସ୍ୟା ଦୂର ପାଇଁ ବିଶାଖାପାଟଣାରୁ ଉଚ୍ଚଶକ୍ତି ସମ୍ପନ୍ନ ୩୦ ଡିଜେଲ ଜେନେରେଟର (ଡିଜି) ସେଟ୍‌ ଅଣାଯାଇଛି। ଟ୍ରକ୍‌ରେ ଆସିଥିବା ଏହି ଜେନେରେଟରକୁଡ଼ିକ ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଜରୁରୀ ଆବଶ୍ୟକତା ଭିତ୍ତିରେ କ୍ଷତିଗ୍ରସ୍ତ ଜିଲାଗୁଡ଼ିକୁ ପଠାଇ ଦିଆଯାଇଛି।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଥିଲେ। ଏଥିଯୋଗୁ ବିଦ୍ୟୁତ୍‌ ସେବା ବ୍ୟାହତ ହେବାର ଆଶଙ୍କା ଥିବାରୁ ଜରୁରୀ ଭିତ୍ତିରେ ଜେନେରେଟରର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜ୍ୟ ବାହାରୁ ମଧ୍ୟ ଜେନେରେଟର ମଗାଇଥିଲେ ସରକାର। ୩୦ ଜେନେରେଟର ଆସିବା ପରେ ବୁଧବାର ସେଥିରୁ କିଛି ଅଧିକ ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ସମେତ କେନ୍ଦ୍ରାପଡ଼ାକୁ ଯାଇଛି। ସେସବୁ ଟ୍ରକ୍‌ରେ ମଧ୍ୟ ରିଲିଫ୍‌ ସହ ଅନ୍ୟ କେତେକ ସାମଗ୍ରୀ ପଠାଯାଇଛି। ତେବେ ଗୁରୁବାର ଅବଶିଷ୍ଟ ଜେନେରେଟରକୁ ଆବଶ୍ୟକ କରୁଥିବା ଅନ୍ୟ ଅଞ୍ଚଳକୁ ପଠାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବାତ୍ୟାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡିବା ସହ ତାର ଛିଣ୍ଡି ଯାଇଛି। ବିଦ୍ୟୁତ୍‌ ସେବା ବନ୍ଦ ରହିଥିବାରୁ ବିଭିନ୍ନ ଅଞ୍ଚଳ ଏବେ ଅନ୍ଧାରରେ ରହିଛି। ଏଥିଯୋଗୁ ଉଦ୍ଧାର ଓ ଅନ୍ୟାନ୍ୟ ସେବା କାର୍ଯ୍ୟ ଯେପରି ବ୍ୟାହତ ନ ହେବ ସେଥିପାଇଁ ଏସ୍‌ଆର୍‌ସି ପକ୍ଷରୁ ଏଭଳି ତ୍ୱରିତ ପଦକ୍ଷେପ ନିଆଯାଇଛି।

Share