ଦାଦନ ଖଟିବାକୁ ତାମିଲନାଡୁ ଗଲେ ୩୦ ଶ୍ରମିକ

ନୟାଗଡ ଅଫିସ,୧୧ା୯: କରୋନା ଯୋଗୁ ଗାଁକୁ ଫେରିଥିବା ଶ୍ରମିକ ଏବେ ପୁଣି ଦାଦନ ମୁହାଁ ହେଲେଣି। ବୁଧବାର ରାତିରେ ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୩୦ ଶ୍ରମିକ ବସ ଯୋଗେ ତାମିଲନାଡୁ ଯାଇଛନ୍ତି। ଗାଁରେ କାମ ନ ମିଳିବାରୁ ଏହି ଶ୍ରମିକ ପୁଣି ବାହାରକୁ ଯାଇଛନ୍ତି। ହେଲେ ଏନେଇ ପ୍ରଶାସନ ପାଖରେ ଖବର ନାହିଁ। ଜିଲାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ କରୁଥିଲେହେଁ ଲୋକଙ୍କୁ କାମ ମିଳି ପାରିନାହିଁ। ହେଲେ ନୟାଗଡ ଜିଲାରୁ କେତେ ଶ୍ରମିକ ଦାଦନ ଯାଉଛନ୍ତି ତାର ହିସାବ ଶ୍ରମ ବିଭାଗ ପାଖରେ ନାହିଁ। ଜିଲା ଶ୍ରମ ବିଭାଗକୁ ଯୋଗାଯୋଗ କଲେ ଉତ୍ତର ମିଳୁଛି ଆମ ପାଖରେ କେହି ପଞ୍ଜୀକୃତ କରି ଦାଦନ ଯାଉ ନାହାନ୍ତି।
ଏଣୁ ସେମାନଙ୍କ ତଥ୍ୟ ଆମ ପାଖରେ ଉପଲବ୍ଧ ହେଉନାହିଁ। ଏନେଇ କାଳିକାପ୍ରସାଦର ଜଣେ ଶ୍ରମିକ କହିଛନ୍ତି, କରୋନା ଯୋଗୁ ରୋଜଗାର ଠପ ହୋଇଯାଇଛି। ଗାଁରେ କାମ ଠିକରେ ମିଳୁନି। ଏବେ ବନ୍ଦ ହୋଇଥିବା ଶିଳ୍ପ ପୁଣି ଖୋଲିଛି। ଏଣୁ ଅଧିକ ରୋଜଗାର ଆଶାରେ ପୁଣି ତାମିଲନାଡୁ ଯିବାକୁ ପଡୁଛି। ଏନେଇ ନୟାଗଡ ବିଡିଓ ମନୋଜ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କ଼ହିଥିଲେ, ନାଁ ପଞ୍ଜିକୃତ କରି ବାହାରକୁ ଗଲେ କିଛି ଅସୁବିଧା ନାହିଁ। ଏନେଇ ଜିଲା ଶ୍ରମ ଅଧିକାରୀ ପଦକ୍ଷେପ ନେଇ ପାରିବେ। ଜିଲା ଶ୍ରମ ଅଧିକାରୀ ସଚିତା ନନ୍ଦ ଜେନା କୁହନ୍ତି, କେଉଁ ଶ୍ରମିକମାନେ ବାହାରକୁ ଯାଉଛନ୍ତି ସୋମାନେ ଆମକୁ ଜଣାଉନାହାନ୍ତି। ତଥାପି ଏଦିଗରେ ପଦକ୍ଷେପ ନିଆଯିବ।

Share