ଏବେ ବିବାହ ନୁହେଁ, ଡିଜିଟାଲ ଡେବ୍ୟୁ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ଗୁରୁବାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏମିତି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି। ସେ ଏକ ଫଟୋ ଶେୟାର କରି ମୁଁ କହିଲି ବୋଲି ଲେଖିଛନ୍ତି। ପ୍ରଶଂସକ ଭାବିଥିଲେ ମଲାଇକା ବୋଧେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ନା। ସେ ନିଜେ ଏହା ଉପରେ ସ୍ପଷ୍ଟତା ରଖିଛନ୍ତି। ମଲାଇକାଙ୍କ ନୂଆ ଶୋ’ ଡିସ୍ନି ପ୍ଲସ ହଟ୍‌ଷ୍ଟାରରେ ଆସୁଛି, ଯାହାର ନାମ ‘ମୁଭିଙ୍ଗ୍‌ ଇନ୍‌ ଓ୍ବିଥ୍‌ ମଲାଇକା’।

ଡ୍ୟାନ୍ସ ରିୟାଲିଟି ଶୋ’ର ଜଜ୍‌ ହେବା ପରେ ମଲାଇକା ଏବେ ତାଙ୍କ ଡିଜିଟାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି। ଶୋ ‘ମୁଭିଙ୍ଗ୍‌ ଇନ୍‌ ଓ୍ବିଥ୍‌ ମଲାଇକା’ ମାଧ୍ୟମରେ ପ୍ରଶଂସକମାନେ ମଲାଇକାଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ। ଏହି ଶୋ’ ‘ଡିସେମ୍ବର ୨ରେ ରିଲିଜ ହେବ। ଏହି ଶୋ’ ଆରମ୍ଭ ସମୟରେ ମଲାଇକାଙ୍କ ସାଙ୍ଗ ଏବଂ ପରିବାର ଅତିଥି ଭାବରେ ଚାଟ୍‌ ଶୋ’ରେ ଯୋଗଦେବେ।

ଏନେଇ ମଲାଇକା କହିଛନ୍ତି, ମୋର ନୂଆ ରିୟାଲିଟି ଶୋ’ ପାଇଁ ମୁଁ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରକୁ ହଁ କହିଛି, ଯେଉଁଠାରେ ଆପଣ ମୋତେ ଅତି ନିକଟରୁ ଦେଖିପାରିବେ ଏବଂ ବଝିପାରିବେ। ଏହା ପରେ ମଲାଇକା ପଚାରିଛନ୍ତି ଅପେକ୍ଷା କରନ୍ତୁ, ଆପଣମାନେ କ’ଣ ଭାବୁଥିଲେ, ମୁଁ କ’ଣ କହିଲି?

ତାଙ୍କ ଶୋ’ ବିଷୟରେ ଉତ୍ସାହିତ ହୋଇ ମଲାଇକା କହିଛନ୍ତି,ଦୀର୍ଘ ସମୟ ଧରି ଲୋକମାନେ ମୋତେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ଦେଖିଛନ୍ତି। କିନ୍ତୁ ବର୍ତ୍ତମାନ, ମୁଁ ଏହାକୁ ଟିକିଏ ପରିବର୍ତ୍ତନ କରିବାକୁ ଯାଉଛି। ଏହି ଶୋ’ ସହିତ, ମୁଁ ଏବଂ ପ୍ରଶଂସକଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇ ସେମାନଙ୍କୁ ମୋ ଦୁନିଆକୁ ନିମନ୍ତ୍ରଣ କରୁଛି। ଏହା ବେଶ ମଜାଦାର ହେବ, ଯେହେତୁ ମୁଁ ସେମାନଙ୍କୁ ମୋର ଦୈନନ୍ଦିନ ଜୀବନ ସହିତ ପରିଚିତ କରାଇବି, ସେମାନଙ୍କୁ ମୋ’ ବନ୍ଧୁ ଏବଂ ପରିବାର ସହିତ ପରିଚିତ କରାଇବି।

ମଲାଇକା ଇନ୍‌ଷ୍ଟାଗ୍ରାମରେ ଆଜି ନିଜର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଲାଜେଇ ଯାଇଛନ୍ତି। ଏଥିରେ ଲେଖିଛନ୍ତି, ମୁଁ ହଁ କହିଲି। ଏହା ପରେ ସୋସିଆଲ ମିଡିଆରେ ଏକ ଅଡୁଆ ଦେଖାଦେଇଥିଲା ଏବଂ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା, ପ୍ରଶଂସକ ଭାବିଥିଲେ ମଲାଇକା ବୋଧେ ଅର୍ଜୁନ କପୁରଙ୍କୁ ବିବାହ କରିବାକୁ ହଁ କହିଛନ୍ତି। କିନ୍ତୁ ପରେ ସେ ଏହି ଦ୍ୱନ୍ଦ୍ୱ ଦୂର କରିଥିଲେ।

Share