ଲଣ୍ଡନ, ୧୨।୮: ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର୍ କରୋନା ନିୟମ ଉଲ୍ଲଂଘନ କରି ଦଳରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି କାଉଣ୍ଟି କ୍ରିକେଟ୍ କ୍ଲବ କେଣ୍ଟ ଦଳର ଯୁବ ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ। କରୋନା ଭାଇରସ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ନିୟମ ଭଙ୍ଗ କରି ୧୯ ବର୍ଷୀୟ ଏହି କେଣ୍ଟ ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ବବ୍ ଓ୍ବିଲ୍ସ ଟ୍ରଫିର ସସେକ୍ସ ବିପକ୍ଷ ମ୍ୟାଚ୍ରେ ଜୋର୍ଡାନ ସୋମବାର ୨୩୮ ରନର ଅପରାଜିତ ରେକର୍ଡ ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ମଧ୍ୟରେ ସେ ୨୭ ଚୌକା ଓ ୩ ଛକା ମାରିଥିଲେ। ଜୋର୍ଡାନଙ୍କ ଏହି ମାରାଥନ ଇନିଂସ ବଳରେ କେଣ୍ଟ ସହଜରେ ସସେକ୍ସକୁ ପରାସ୍ତ କରିଥିଲା। କିନ୍ତୁ ମ୍ୟାଚ୍ ପରେ ସେ କିଛି ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ। ଏହାକୁ ଅଗ୍ରାହ୍ୟ କରିପାରି ନ ଥିଲେ ଏହି ଯୁବ ବ୍ୟାଟ୍ସମ୍ୟାନ। ଯାହାକି କରୋନା ଭାଇରସ ସମ୍ବନ୍ଧିତ ସ୍ବାସ୍ଥ୍ୟ ନିୟମ ଭଙ୍ଗ ହୋଇଥିଲା। ଏହି କାରଣରୁ ଜୋର୍ଡାନଙ୍କୁ ଏବେ ଆଇସୋଲେଶନରେ ରହିବାକୁ କୁହାଯାଇଛି। ପୁନର୍ବାର ସେ ଦଳକୁ ଫେରିବା ପୂର୍ବରୁ ତାଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।