Categories: ଖେଳ

ପନ୍ତଙ୍କ ଲାଗି ଦେବଦୂତ ସାଜିଥିଲେ ଏହି ବସ୍‌ ଡ୍ରାଇଭର: ଜଳନ୍ତା ଗାଡ଼ି ନିକଟରୁ ଦୂରକୁ ନେଇଥିଲେ, ଚାଦର ଢ଼ାଙ୍କି…

ନୂଆଦିଲ୍ଲୀ,୩୦।୧୨: କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଶୁକ୍ରବାର ବଡ଼ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କର ମୁଣ୍ଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ସେହିଭଳ ପିଠିରେ ଏବଂ ଗୋଡର କିଛି ଅଂଶରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ପନ୍ତଙ୍କ ଏହି ଦୁର୍ଘଟଣା ରୁର୍‌କି ନିକଟ ମହମ୍ମଦପୁର ଜାଟ ଅଞ୍ଚଳରେ ଘଟିଥିଲା। ଦୁର୍ଘଟଣା ପରେ ଜଣେ ବସ୍‌ ଡ୍ରାଇଭର୍‌ ଦେବଦୂତ ସାଜି ପନ୍ତଙ୍କ ଜୀବନ ରକ୍ଷା କରିଥିଲେ। ସର୍ବପ୍ରଥମେ ଡ୍ରାଇଭର ବସ୍‌ ରୋକି ପନ୍ତଙ୍କୁ କାର୍‌ଠାରୁ ଦୂରକୁ ନେଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ପହଞ୍ଚାଇଥିଲେ।

ପନ୍ତ ନିଜର ମର୍ସଡିଜ୍‌ କାର୍‌ ନିଜେ ଚଲାଇ ରୁର୍‌କିରେ ଥିବା ନିଜ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ନିଦ ଲାଗିବାରୁ କାର୍‌ଟି ଡିଭାଇଡରର ପିଟିହୋଇ ଜଳି ଯାଇଥିଲା। ପନ୍ତ ନିଜେ କାର୍‌ର ଓ୍ବିଣ୍ଡ ସ୍କ୍ରିନ ଭାଙ୍ଗି ବାହାରକୁ ଆସିଥିଲେ। ହେଲେ ବସ୍‌ ଡ୍ରାଇଭର ସୁଶୀଲ ହିଁ ତାଙ୍କ ପାଖରେ ପ୍ରଥମେ ପହଞ୍ଚିଥିଲେ।

ହରିଦ୍ୱାର ଏସ୍‌ଏସ୍‌ପି ଅଜୟ କୁମାରଙ୍କ ଅନୁଯାୟୀ, ଯେଉଁ ସମୟରେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା, ସେତେବେଳେ ହରିୟାଣା ରୋଡଓ୍ବେଜ୍‌ର ବସ୍‌ ତାଙ୍କ ପଛରେ ଆସୁଥିଲା। ଡ୍ରାଇଭର ସୁଶୀଲ ଦୁର୍ଘଟଣା ଦେଖି ବସ୍‌ ରୋକିଥିଲେ। ପରେ ୧୧୨ ନଂରେ ଫୋନ୍‌ କରି ଏନେଇ ସୂଚନା ଦେଇଥିଲେ। ଏହାପରେ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଦୁର୍ଘଟଣା ନେଇ ପଚରାଯିବାରେ ସୁଶୀଲ କହିଛନ୍ତି, ମୁଁ ପନ୍ତଙ୍କୁ ତଳେ ପଡ଼ିଥିବା ଦେଖିଥିଲି। ମୁଁ ଭାବିଲି ସେ ବଞ୍ଚିବେ ନାହିଁ। କାରଣ ତାଙ୍କ ଗାଡ଼ି ହୁତୁ ହୁତୁ ହୋଇ ଜଳୁଥିଲା। ସେଠାରେ ହିଁ ପନ୍ତ ପଡ଼ିଥିଲେ। ମୁଁ ତାଙ୍କୁ ଉଠାଇ କାର୍‌ରୁ ଦୂରକୁ ଆଣିଥିଲେ। ଆଉ କେହି ଗାଡ଼ି ଭିତରେ ଅଛନ୍ତି କି ବୋଲି ପଚାରିଥିଲି। ସେ କହିଥିଲେ ଏକୁଟିଆ ଅଛନ୍ତି। ଏପରିକି ନିଜ ପରିଚୟ ଦେଇଥିଲେ। କ୍ରିକେଟ ବିଷୟରେ ଏତେ କିଛି ଜାଣି ନ ଥିଲି। ଏଣୁ ତାଙ୍କୁ ରାସ୍ତାକଡ଼ରେ ଛିଡ଼ା କରିଥିଲି। ତାଙ୍କ ଶରୀରରେ ପୋଷାକ ନ ଥିଲା। ଏଣୁ ମୋ ପାଖରେ ଥିବା ଚାଦରରେ ତାଙ୍କୁ ଢ଼ାଙ୍କି ଥିଲୁ ବୋଲି ସେ କହିଛନ୍ତି।

Share