Categories: ଫୁରସତ

ବ୍ରାଜିଲରେ କୋକା କୋଲା ହ୍ରଦ

କୋକା କୋଲା ବିଶ୍ୱର ଲୋକପ୍ରିୟ ଥଣ୍ଡା ପାନୀୟ। ଏହାର ଫିଜି ଟେଷ୍ଟ ଓ ସୁଗାର କୋଲା ଫ୍ଲେବର ଦେଶୀ ହେଉ କି ଚାଇନିଜ ଖାଦ୍ୟ ସହିତ ନେବାର ମଜା ହିଁ ଅଲଗା। କିନ୍ତୁ କୋକା କୋଲା ହ୍ରଦରେ ସୁଇମ କରିବାକୁ କେବେ ଚିନ୍ତା କରିଛନ୍ତି ? ବ୍ରାଜିଲରେ ଏମିତି ଏକ ହ୍ରଦ ଅଛି, ଯାହାର ପାଣି କୋକା କୋଲା ଭଳି। ଏବେ ଏହା ଜଣାଶୁଣା ପର୍ଯ୍ୟଟନ ସ୍ଥଳି ପାଲଟିଛି।

ବ୍ରାଜିଲର ରିଓ ଗ୍ରାଣ୍ଡ ନର୍ଟ ଅଞ୍ଚଳର ‘ମାଟା ଡେ ଇଷ୍ଟ୍ରାଲା’ ରିଜର୍ଭରେ ଥିବା ହ୍ରଦର ପ୍ରକୃତ ନାମ ଆରାରାକ୍ୱାରା। ଲାଗାଓ ଡେ କୋକା କୋଲା ଭାବେ ଜଣାଶୁଣା ଏହି ହ୍ରଦ। ପାଣିର ସ୍ବତନ୍ତ୍ର ରଙ୍ଗ ପାଇଁ ଏହାକୁ କୋକା କୋଲା ହ୍ରଦ କୁହାଯାଏ। ହ୍ରଦର ପ୍ରାକୃତିକ ରଙ୍ଗ ଗାଡ଼ କଳା। ଏହା ପଛର କାରଣ ଅଙ୍ଗାରକାମ୍ଳ ନୁହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ମାଟିରେ ଅତ୍ୟଧିକ ମାତ୍ରାରେ ଆଇରନ ଅକ୍ସାଇଡ୍‌ ଓ ଆଇଓଡିନ ଉପସ୍ଥିତ ଥିବାରୁ ପାଣିର ରଙ୍ଗ ସମ୍ପୂର୍ଣ୍ଣ କଳା। ହ୍ରଦର ପାଣିକୁ ଘେରି ରହିଛି ଧଳା ବାଲି। ବ୍ରାଜିଲର ପର୍ଯ୍ୟଟନ ଓ୍ବେବସାଇଟ୍‌ ଅନୁଯାୟୀ, ହ୍ରଦର ପାଣି ଅପରିଷ୍କାର ନୁହେଁ। ପହଁରିବା ଓ ଗାନ୍ଧେଇବା ପାଇଁ ଏହା ସମ୍ପୂର୍ଣ୍ଣ ଉପଯୋଗୀ।

Share