ଗଣେଶ୍ୱର ବେହେରାଙ୍କ ସତ୍ୟପାଠକୁ ଭୁଲ୍‌ ଦର୍ଶାଇଲେ କଂଗ୍ରେସର ଏହି ନେତ୍ରୀ, କହିଲେ ଜାତିଗତ କ୍ଷେତ୍ରରେ ତାଙ୍କର…

କେନ୍ଦ୍ରାପଡ଼ା,୯ା୯ (ଜଗନ୍ନାଥ ଧଳ): ୨୦୨୪ ନିର୍ବାଚନ ଫଳାଫଳର ୩ ମାସ ପରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସତ୍ୟପାଠ ଉପରେ କଂଗ୍ରେସ ପ୍ରାର୍ଥୀ ସିପ୍ରା ମଲ୍ଲିକ ପ୍ରଶ୍ନ ଉଠାଇଛନ୍ତି। ସହରର ବଉଳବିହାରସ୍ଥିତ ବାସଭବନରେ ମଲ୍ଲିକ ରବିବାର ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସତ୍ୟପାଠରେ ଥିବା ବ୍ୟତିକ୍ରମ ଉପରେ ବିଧାନସଭା ଓ ନ୍ୟାୟିକ ଆଶ୍ରୟର ସହଯୋଗ ଲୋଡ଼ିବେ ବୋଲି ସିପ୍ରା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସତ୍ୟପାଠରେ ଦର୍ଶାଯାଇଥିବା ବାସସ୍ଥାନ ଠିକଣା ତଦନ୍ତସାପେକ୍ଷ। ଉଲ୍ଲେଖ ଥିବା ଚନ୍ଦନପୁର ପଞ୍ଚାୟତ ଚିହ୍ନଟ ଜମିରେ ବିଧାୟକ ବେହେରାଙ୍କର କୌଣସି ପଟ୍ଟା ନାହିଁ। ସେହିପରି ଜାତିଗତ କ୍ଷେତ୍ରରେ ତାଙ୍କର କେଉଟ ବୋଲି ସତ୍ୟପାଠରେ ଉଲ୍ଲେଖ ଥିଲେ ମଧ୍ୟ ତାଙ୍କ ଭାଇ କାର୍ତ୍ତିକେଶ୍ୱର ବେହେରାଙ୍କର ଅନ୍ୟ ଏକ ପଟ୍ଟାରେ କୈବର୍ତ୍ତ ରହିଛି। ପ୍ରଦତ୍ତ ସତ୍ୟପାଠରେ ଖାତା ନଂ. ଓ ପ୍ଲଟ ନଂ.ରେ ମେଳ ରହୁନାହିଁ। ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେବା ଏକ ଅପରାଧ। ଏ ନେଇ ବିଧାନସଭାରେ ପ୍ରଶ୍ନ ହେବା ସହ ନ୍ୟାୟାଳୟକୁ ସେ ଯିବେ ବୋଲି ସମ୍ମିଳନୀରେ କହିଛନ୍ତି। ଅପରପକ୍ଷରେ ବିଧାୟକ ବେହେରାଙ୍କୁ ପଚାରିବାରେ ଏହା ହତାଶାର ପ୍ରତିଫଳନ। ୧୯୯୫, ୨୦୦୯ ଓ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଓ ପାର୍ଲାମେଣ୍ଟରେ ପ୍ରଣିତ ଆଇନ ଅନୁଯାୟୀ ଜାତିଗତ ପ୍ରମାଣପତ୍ର ପାଇଛନ୍ତି। ତାଙ୍କ ଅଭିଯୋଗର ସମସ୍ତ ତଦନ୍ତକୁ ସେ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ବିଧାୟକ ବେହେରା କହିଛନ୍ତି।

Share