Categories: ଖେଳ

ନିଜ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୪।୧: ଆଇସିସି ୨୦୨୨ ବର୍ଷ ପାଇଁ ପୁରୁଷ ଟି-୨୦ ଦଳ ଘୋଷଣା କରିଛି। ପାକିସ୍ତାନର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ତେବେ ରିଜୱାନଙ୍କ ସମୟ ଏବେ ଭଲ ଚାଲିନାହିଁ। ସେ ସବୁ ଦିଗରୁ କଠିନ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ଟେଷ୍ଟ ଦଳରୁ ବାଦ୍‌ ପଡିଥିବା ରିଜୱାନ ନିଜେ ଟି-୨୦ ଫର୍ମାଟରେ ତାଙ୍କ ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ଆଙ୍କର୍‌ ଭୂମିକା ଗ୍ରହଣ କରିବା ତାଙ୍କୁ ଲଜ୍ଜାଜନକ ସ୍ଥିତିରେ ନେଇ ପହଞ୍ଚାଇଛି, କାରଣ ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ମାନେ ପାୱାର୍‌ ହିଟ ପାଇଁ ଜଣାଶୁଣା।
ରିଜୱାନ ବର୍ତ୍ତମାନ ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ) ରେ କୋମିଲା ଭିକ୍ଟୋରିଆନ୍ସ ପାଇଁ ଖେଳୁଛନ୍ତି। ସେ ୧୩ ଫେବୃଆରୀରୁ ପାକିସ୍ତାନ ସୁପର ଲିଗରେ ମୁଲତାନ ସୁଲତାନର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ରିଜୱାନ କହିଛନ୍ତି, ଟି-୨୦ କ୍ରିକେଟରେ ଆଙ୍କର୍‌ ଭୂମିକା ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର। ବେଳେବେଳେ ଏହା ଲଜ୍ଜାଜନକ ମନେହୁଏ। ଫ୍ରାଞ୍ଚାଇଜ ମୋତେ ଟି-୨୦ ଲିଗରେ ଆଙ୍କର୍‌ ଭୂମିକା ଗ୍ରହଣ କରିବାକୁ କୁହନ୍ତି, ଯେପରି ମୁଁ ପାକିସ୍ତାନ ପାଇଁ କରେ। ମୋତେ ଉଇକେଟ ବଞ୍ଚାଇ ରଖିବାକୁ କୁହାଯାଏ, ଯାହା ଦ୍ୱାରା ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ଖୋଲା ସଟ୍‌ ଖେଲିପାରିବେ। ଏହା କରିବା ସର୍ବଦା କଷ୍ଟକର। ସମସ୍ତେ ଟି-୨୦ରେ ଛକା ମାରିବାକୁ ପସନ୍ଦ କରନ୍ତି କିନ୍ତୁ, ମୋତେ ୩୫-୪୫ ବଲରେ ୬୦-୭୦ ରନ ସ୍କୋର କରି ଉଇକେଟ ଉପରେ ଠିଆ ହେବାକୁ କୁହାଯାଏ।
ରିଜୱାନ ଆହୁରି ମଧ୍ୟ କହିଛନ୍ତି, ଦକ୍ଷିଣ ଆଫ୍ରିକାର ଭେଟେରାନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ତାଙ୍କର ଆଦର୍ଶ। କ୍ରିକେଟର ସମସ୍ତ ଫର୍ମାଟରେ ତାଙ୍କର ପ୍ରଦର୍ଶନକୁ ଅତି ନିକଟରୁ ଦେଖେ। ତାଙ୍କଠାରୁ ଅନେକ କିଛି ଶିଖିଛି। ମୁଁ ଦଳର ଆବଶ୍ୟକତା ଅନୁଯାୟୀ ଖେଳେ।

Share