Categories: ଖେଳ

କରୋନା ଲାଗି ନିଜ ବ୍ୟାଟ୍‌, ଜର୍ସି ଦାନ କରିବେ ଏହି କ୍ରିକେଟର୍‌

ଜୋହାନ୍ସବର୍ଗ, ୧୮।୭- କରୋନା ମହାମାରୀ ଲାଗି ବିଶ୍ୱରେ ଅନେକ ଲୋକ ରୋଜଗାର ହରାଇଥିବାବେଳେ ଖାଇବାକୁ ନ ପାଇ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ପୂର୍ବରୁ ଅନେକ କ୍ରୀଡ଼ାବିତ୍‌ କରୋନାକୁ ମୁକାବିଲା କରିବା ପାଇଁ ଯଥାସାଧ୍ୟ ସହାୟତାର ହାତ ବଢ଼ାଇଥିବାର ଦେଖିବାକୁ ମିଳିଥିଲା। ଏହିକ୍ରମରେ ଏବେ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁ ପ୍ଲେସିସ୍‌। ଏହିଭଳି ଏକ କଠିନ ସମୟରେ ସ୍ଥାନୀୟ ସମ୍ପ୍ରଦାୟକ କିଛି ଅନଗ୍ରସର ପିଲାଙ୍କୁ ଖାଇବାକୁ ଦେବା ପାଇଁ ଡୁ ପ୍ଲେସିସ୍‌ ନିଜ ବ୍ୟାଟ୍‌ ଓ ଜର୍ସି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ନିଲାମୀ ପ୍ରକିୟାକୁ ସେ ନିଜର ଗୋଲାପୀ ଜର୍ସି ଓ ବ୍ୟାଟ୍‌ ଦାନ କରିବେ। ଏହି ଜର୍ସିକୁ ଡୁ ପ୍ଲେସିସ ୨୦୧୬ରେ ଏକ ଦିନିକିଆ ମ୍ୟାଚ୍‌ରେ ପିନ୍ଧିଥିଲେ। ଏଥିରୁ ସଂଗୃହିତ ହେବାକୁ ଥିବା ପାଣ୍ଠିକୁ ପିଲାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବେ ବୋଲି ସେ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି।

Share