Categories: ଜାତୀୟ

ଆଇପିଏସଙ୍କ ନିଷ୍ପତ୍ତିକୁ କରାଯାଉଛି ପ୍ରଶଂସା

ଗାନ୍ଧିନଗର,୨୯ ।୭: ଗୁଜରାଟରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଏହି ବିଷାକ୍ତ ମଦ କନୁଭାଇ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି । ଏହାପରେ କିନ୍ତୁ ତାଙ୍କର ପିଲାମାନେ ଅନାଥ ହୋଇ ଯାଇଛନ୍ତି । କନୁଭାଇଙ୍କ ୪ଟି ସନ୍ତାନ ହୋଇଥିବା ବେଳେ ଆଉ ତାଙ୍କ ପତ୍ନୀ ତାଙ୍କ ନିକଟରେ ରହୁ ନ ଥିବା ବେଳେ ଏବେ ତାଙ୍କର ୪ଟି ପିଲା କନୁଭାଇଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛନ୍ତି । ଏହା ଜଣାପଡିବା ପରେ ପୋଲିସ ଏହି ୪ ଶିଶୁଙ୍କ ପାଳନ ପୋଷଣ ଦାୟିତ୍ୱ ନେଇଥିବା ଜଣାପଡିଛି । ବୋଟାଦର ଏସ୍‌ପି ୪ ଅନାଥ ଶିଶୁଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ୪୦ ବର୍ଷିୟ କନୁଭାଇ ତାଙ୍କ ୪ ପିଲାଙ୍କ ସହ ରହୁଥିଲେ ହେଲେ ପତ୍ନୀ ତାଙ୍କ ସହ ରହୁ ନ ଥିଲେ । ପିଲାମାନଙ୍କ ସମସ୍ତ ଦାୟିତ୍ୱ କନୁଭାଇ ନେଉଥିଲେ । ଦୁଇ ଦିନ ପୂର୍ବେ ବିଷାକ୍ତ ମଦ ପିଇବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଶ୍ନ ଉଠିଥିଲା କି ତାଙ୍କ ଅନାଥ ପିଲାମାନଙ୍କର ଯତ୍ନ କିଏ ନେବ । ପୋଲିସ ଏବେ ଏହି ୪ ପିଲାଙ୍କ ଦାୟିତ୍ୱ ବହନ କରିବ ବୋଲି କହିଛି ।
ଏସପି କରନରାଜ ସିଂ ବାଘେଲା କହିଛନ୍ତି ପିଲାମାନଙ୍କ ପିତାମାତା ନ ଥିବାରୁ ଓ ଏମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ଏବେ ସେମାନଙ୍କ ସମସ୍ତ ଖର୍ଚ୍ଚ ପୋଲିସ ବହନ କରିବ । ସୂଚନାଯୋଗ୍ୟ, ଗୁଜରାଟରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଧୱି ଏହି ମାମଲାରେ ୧୦ ଦିନ ମଧ୍ୟରେ ପୋଲିସକୁ ଚାର୍ଜସିଟ ଦାଖଲ କରିବାକୁ କହିବା ସହ ଫାଷ୍ଟ ଟ୍ରାକ୍ କୋର୍ଟରେ ଏହାର ଶୁଣାଣି କରି ପୀଡିତ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share