କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାର୍ଚ୍ଚରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରୋନାର ପ୍ରଥମ ଲହରିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଦିଆଯାଇଥିଲା। ଫଳରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଅଧ୍ୟୟନରେ କୁହାଯାଇଛି ଯେ, କରୋନା ମହାମାରୀ ସମୟରେ ଡାକ୍ତରମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ବର୍ତ୍ତମାନ ଏହି ଔଷଧ ୧୭ ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ବିବେଚନା କରାଯାଉଛି। କରୋନା ମହାମାରୀ ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ସେବନ କରିବାକୁ ଆମେରିକୀୟମାନଙ୍କୁ ନିବେଦନ କରିଥିଲେ। ଏଥିସହ ଟ୍ରମ୍ପ କହିଥିଲେ, ଏହା ଏକ ଚମତ୍କାର ଔଷଧ। ମୁଁ ଏହାକୁ ଖାଉଛି।

ହାଇଡ୍ରୋକ୍ସିଚ୍ଲୋରୋକୁଇନ୍‌ ହେଉଛି ମ୍ୟାଲେରିଆ ଔଷଧ। ଯାହାକି କରୋନା ଚିକିତ୍ସାରେ ବହୁଳ ଭାବରେ ବ୍ୟବହୃତ ହୋଇଥିଲା। ବାୟୋମେଡିସିନ ଏବଂ ଫାର୍ମାକୋଥେରାପିର ଫେବୃଆରୀ ସଂଖ୍ୟାରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ଯେ, ହାର୍ଟର ଆରିଥମିଆ ଏବଂ ମାଂସପେଶୀ ଦୁର୍ବଳତା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟିଛି।

ଖବର ଅନୁଯାୟୀ, କରୋନା ଭାଇରସ୍‌ ଆରମ୍ଭ ହେବା ପରେ ବୈଜ୍ଞାନିକମାନେ ପରାମର୍ଶ ଦେଇଥିଲେ ଯେ, ଏହି ଔଷଧ ସଂକ୍ରମଣର ଚିକିତ୍ସାରେ ପ୍ରଭାବଶାଳୀ ହୋଇପାରେ। ୨୮ ମାର୍ଚ୍ଚ ୨୦୨୦ରେ, ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଜରୁରିକାଳୀନ ବ୍ୟବହାର ଅନୁମୋଦନ ପ୍ରଦାନ କରି କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା।

ପ୍ରକାଶ ଥାଉକି, ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ ସହିତ ଅନେକ ଗବେଷଣା ପରେ ଏଫ୍‌ଡିଏକୁ ଜୁନ୍‌ ୨୦୨୦ରେ ଜରୁରିକାଳୀନ ବ୍ୟବହାର ପ୍ରାଧିକରଣ ପ୍ରତ୍ୟାହାର କରିନେଲା। କରୋନା ଭାଇରସ୍‌ ବିରୋଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର କୌଣସି ଲାଭ ନାହିଁ ଏବଂ ଏହା ମୃତ୍ୟୁ ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥିଲା।

Share