Categories: Uncategorized

ସରକାର ସମସ୍ତ ଭ୍ରଷ୍ଟ ନେତାଙ୍କର ଯାଞ୍ଚ କରିବେ: ରାଜନାଥ

ବେଲଗାଓ୍ବି,୨୬।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣକୁ ଆଉ ୨ ସପ୍ତାହରୁ ବି କମ ସମୟ ବାକି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ନେତାମାନେ ନିର୍ବାଚନ ପ୍ରଚାର ଅଭିଯାନରେ ଖୁବ ବଳ ଖଟାଉଛନ୍ତି। ଦୁଇ ଦଳ ମଧ୍ୟରେ ପରସ୍ପର ବିରୋଧି ବୟାନବାଜି ବି ଚରମ ସୀମାରେ ପହଞ୍ଚିଲାଣି। ଇତିମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ତଥା ଭାଜପା ନେତା ରାଜନାଥ ସିଂ ବୁଧବାର କର୍ନାଟକର ଧାରଓ୍ବାଡରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି।

ରାଜନାଥ କହିଛନ୍ତି, ଆଜି ଭ୍ରଷ୍ଟାଚାର ଉପରେ ଆକ୍ରମଣ ହୋଇଛି, ବଡ ବଡ ନେତା ଜେଲ ଯାଉଛନ୍ତି। ସେମାନେ(ବିରୋଧୀ) ଦାବି କରୁଛନ୍ତି କି ଯାଞ୍ଚ ଜାଣିଶୁଣି କରାଯାଉଛି। ଏହି ସରକାର ସମସ୍ତ ଭ୍ରଷ୍ଟ ନେତାଙ୍କର ଯାଞ୍ଚ କରିବେ, ସେ ଯେତେ ବି ବଡ ହୁଅନ୍ତୁନା କାହିଁକି। ସେ କହିଛନ୍ତି କଂଗ୍ରେସ ଧର୍ମ ନାଁରେ ଆରକ୍ଷଣ ଦେଇ ଭାରତୀୟ ସମ୍ବିଧାନର ଅବମାନନା କରିଛି। ୧୯୭୫ରେ ମନଇଚ୍ଛା ଭାବେ ସମ୍ବିଧାନରେ ସଂଶୋଧନ କରି ଏମରଜେନ୍ସି ଲଗାଇ ଲକ୍ଷ ଲକ୍ଷ ଜନତାଙ୍କୁ ଜେଲ ପଠାଇ ଦେଲା। ଭାଜପା କେବେବି ଏମିତି ପାପ କରିପାରିବ ନାହିଁ, ଶାସନ କ୍ଷମତା ମିଳୁ ଅବା ନ ମିଳୁ।