ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ

ଓ୍ବାଶିଂଟନ୍‌: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍‌ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍‌ ଏଞ୍ଜେଲ୍‌ସ (ୟୁସିଏଲ୍‌ଏ)ର ‘ବେଡାରୀ କାଇଣ୍ଡ୍‌ନେସ ଇନ୍‌ଷ୍ଟିଚ୍ୟୁଟ୍‌’ର ଗବେଷକ କୁହନ୍ତି, ଯଦି ଆପଣ ଦୟାଳୁ ସ୍ବଭାବର ତେବେ ଦୀର୍ଘାୟୁ ହୋଇପାରିବେ। ଏହି ରିପୋର୍ଟରୁ ଜଣାପଡ଼ିଛି, କାହା ବିଷୟରେ ଭଲ ଚିନ୍ତା କଲେ ବା ଭାବନା ରଖିଲେ ବହୁତ ଖୁସି ମିଳିଥାଏ। ଏହି ଖୁସିରୁ ଶକ୍ତି ମିଳିଥାଏ, ଯାହା ଅନେକ ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ। ଉକ୍ତ ସଂସ୍ଥାନର ନିର୍ଦ୍ଦେଶକ ଡାନିଏଲ୍‌ ଫେସ୍‌ଲର କୁହନ୍ତି, ହୃଦୟବାନ ବ୍ୟକ୍ତିଙ୍କୁ ଦେଖିଲେ, ଅନ୍ୟମାନେ ପ୍ରଭାବିତ ହେବେ। ଏହି ଗବେଷଣାରେ ମନୋବିଜ୍ଞାନ, ଜୀବବିଜ୍ଞାନରେ ଥିବା ସକାରାତ୍ମକ ଏବଂ ସାମାଜିକ ସହଭାଗିତା ବିଷୟକୁ ସାମିଲ କରାଯାଇଥିଲା। ଏଥିରେ କେତେକ ବିଶେଷଜ୍ଞ ମଧ୍ୟ ଭାଗ ନେଇଥିଲେ। ଗବେଷଣାରେ ଜଣାପଡ଼ିଥିଲା ଦୟାଳୁ ବ୍ୟକ୍ତିଙ୍କଠାରେ ବ୍ଲଡ୍‌ପ୍ରେସର ଆଶଙ୍କା ବି କମ୍‌ ରହିଥାଏ। ସେମାନେ ଦୀର୍ଘାୟୁ ହେବା ସହ ସୁସ୍ଥ ରହିଥା’ନ୍ତି। ଦୟାଳୁ ହେଲେ ଉଭୟ ଶାରୀରିକ ଏବଂ ମାନସିକ ସ୍ଥିତି ଠିକ୍‌ ରହିଥାଏ।