ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଛି ଆଇପିଏଲ୍‌ ମ୍ୟାଚ୍ ଦେଖିବାର ସୁଯୋଗ

ନୋଏଡା, ୨୨।୯: ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ନୋଏଡାରେ ଥିବା ଏକ ହସ୍ପିଟାଲରେ ଆକ୍ରାନ୍ତଙ୍କ ଲାଗି ଅଦ୍ଭୁତ ସୁବିଧା ଯୋଗାଇ ଦିଆଯାଇଛି। ନୋଏଡାସ୍ଥିତ ଯଥାର୍ଥ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ହସ୍ପିଟାଲର ୮ମ ମହଲାରେ ପ୍ରଥମେ ଏକ ଗାର୍ଡେନ ନିର୍ମାଣ କରାଯାଇଥିଲା। ଯେଉଁଠାରେ ଖୋଲା ଆକାଶ ତଳେ ବସି କରୋନା ଆକ୍ରାନ୍ତ ପୁରା ସହରର ଦୃଶ୍ୟ ଉପଭୋଗ କରିପାରିବେ। ଏବେ ସେହି ଗାର୍ଡେନରେ ବଡ଼ ପ୍ରୋଜେକ୍ଟର ସ୍କ୍ରିନ ଜରିଆରେ ଆକ୍ରାନ୍ତଙ୍କ ଲାଗି ଆଇପିଏଲ୍‌ ମ୍ୟାଚ୍‌ ଦେଖିବାର ବନ୍ଦୋବସ୍ତ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି ଚୌକି ପଡ଼ିଥିବାବେଳେ କରୋନା ଆକ୍ରାନ୍ତ ସେଠାରେ ବସି ମ୍ୟାଚ୍‌ ଦେଖିପାରୁଛନ୍ତି। ସେହିଭଳି ପପ୍‌କର୍ନ ଓ ପାସ୍ତା କର୍ନର ମଧ୍ୟ ସେଠାରେ ଉପଲବ୍ଧ କରାଯାଇଛି। କେବଳ ରୋଗୀ ନୁହେଁ ସେମାନଙ୍କ ପରିବାରର ମନୋବଳ ବଢ଼ାଇବା ଲାଗି ହସ୍ପିଟାଲ ପକ୍ଷରୁ ଏପରି ଆୟୋଜନ କରାଯାଇଥିବା କୁହାଯାଇଛି।