ଏଇ ଭାରତରେ

ପକ୍ଷୀମାନଙ୍କ ପାଇଁ ଆମ୍ବୁଲାନ୍ସ ଚଳାଉଛନ୍ତି ଚଣ୍ଡିଗଡ଼ର ମନ୍‌ଜିତ ସିଂହ। ସେ ଏହି ଆମ୍ବୁଲାନ୍ସ ଚଳାଇଛନ୍ତି ଏକ ସାଇକେଲରେ। ମନ୍‌ଜିତ ଜଣେ ଆର୍ଟ ଶିକ୍ଷକ ଭାବେ ପିଲାଙ୍କୁ ଶିକ୍ଷା ଦେଉଥିଲେ। ଥରେ ଚଣ୍ଡିଗଡ଼ରେ ୫୦ ଜଣ ପିଲାଙ୍କୁ ନେଇ ଏକ କ୍ୟାମ୍ପରେ ଥିବାବେଳେ ଗୋଟିଏ ଡଷ୍ଟବିନ୍‌ରେ ପାରାଟିଏ ମରିପଡ଼ିଥିବା ଦେଖିଥିଲେ। ପରେ ସେ ପକ୍ଷୀମାନଙ୍କ ସେବା କରିବା ଲାଗି ନିଷ୍ପତ୍ତି ନେଇଥିଲେ। କ୍ୟାମ୍ପରୁ ଘରକୁ ଫେରିବା ପରେ ମନ୍‌ଜିତ ସ୍କୁଲରୁ ଚାକିରି ଛାଡ଼ି ପକ୍ଷୀ ଉଦ୍ଧାର ଓ ସେବା କାର୍ଯ୍ୟରେ ଲାଗି ପଡ଼ିଲେ। ଏହା ମଧ୍ୟରେ ସେ ବ୍ୟାଙ୍କ୍‌ରେ ଏକ ଚାକିରି ପାଇଥିଲେ, ଯାହା ତାଙ୍କ ସେବାକୁ ବଢ଼ାଇବାରେ ସାହାଯ୍ୟ କରିଛି। ସେ ପକ୍ଷୀ ଆମ୍ବୁଲାନ୍ସରେ ଚଣ୍ଡିଗଡ଼ର ବିଭିନ୍ନ ଜାଗାରେ ୧,୧୬୦ ପକ୍ଷୀଙ୍କର ଚିକିତ୍ସା କରିସାରିଲେଣି। ଏମିତି କି ଯେଉଁ ପକ୍ଷୀଙ୍କୁ ସେ ବଞ୍ଚାଇପାରୁନାହାନ୍ତି ସେମାନଙ୍କୁ ସମାଧି ଦେଉଛନ୍ତି। ଏବେସୁଦ୍ଧା ସେ ୧,୨୮୦ଟି କାଉ, ପାରା ଆଦି ମୃତପକ୍ଷୀଙ୍କୁ ସମାଧି ଦେଇସାରିଲେଣି। ସେ ବ୍ୟାଙ୍କ ଚାକିରିରୁ ଯାହା ଆୟ କରୁଛନ୍ତି ତାହାର ସିଂହଭାଗ ପକ୍ଷୀଙ୍କ ସେବାରେ ଖର୍ଚ୍ଚ କରୁଛନ୍ତି। ସେ ପ୍ରତିଦିନ ଅଫିସ କାମ ସାରି ଦିନ ୩ଟାରୁ ପକ୍ଷୀ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟରେ ତାଙ୍କ ପକ୍ଷୀ ଆମ୍ବୁଲାନ୍ସ ସହ ବାହାରି ଯାଉଛନ୍ତି।