କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଅଙ୍କିତ୍ ଧର୍। ସେମାନେ ପାଣିରେ ବଢୁଥିବା ଏକପ୍ରକାର ଦଳ(କଲିକତି ଦଳ)ରୁ କାଗଜ ତିଆରି କରୁଛନ୍ତି। ସେମାନଙ୍କ ଅନୁସୃତ ପଦ୍ଧତିରେ କମ୍ କାର୍ବନ ନିର୍ଗମନ ହେଉଛି। ଏହି ସବୁଜ ନୂତନତ୍ୱ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିଛି। କଲିକତି ଦଳକୁ ସଂସ୍କୃତରେ ଜଳକୁମ୍ଭି କୁହାଯାଏ। ଏଣୁ ଏଥିରୁ ତିଆରି ହେଉଥିବା କାଗଜର ନାମ ରଖାଯାଇଛି କୁମ୍ଭି କାଗଜ। ଏହି କାଗଜ ତିଆରି ପାଇଁ ସେମାନେ ‘କୁମ୍ଭି କାଗଜ ପ୍ରାଇଭେଟ ଲିମିଟେଡ୍’ ପ୍ରତିଷ୍ଠା କରିଛନ୍ତି। ଏହି ଜଳକୁମ୍ଭି ଆସାମର ଅଧିକାଂଶ ଜିଲାରେ ବହୁମାତ୍ରାରେ ବଢୁଥିବାରୁ ସେଠାରେ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ଏସବୁ ସଂଗ୍ରହ କରାଯାଉଛି। କୁମ୍ଭି କାଗଜ ସମ୍ପୂର୍ଣ୍ଣ ରସାୟନମୁକ୍ତ ଏବଂ ଏହା ସହଜରେ ମାଟିରେ ମିଶିଯାଉଛି। ଜଣେ ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବେ ଥରେ ପାଇଥନ୍ ଉଦ୍ଧାର କରିବା ସମୟରେ ରୂପଙ୍କର କୁମ୍ଭିଦଳ ସମ୍ପର୍କରେ ଜାଣିପାରିଥିଲେ। ପରେ ସେ ଉଭୟଚର ଜୀବ ବିଶେଷଜ୍ଞ ଡ. ପୁରକାୟସ୍ଥଙ୍କ ତତ୍ତ୍ୱାବଧାନନେର ଗବେଷଣା କରି କାଗଜ ତିଆରିର ଉପାୟ ପାଇପାରିଥିଲେ। ଆସାମ ସରକାରଙ୍କ ସହଯୋଗରେ ରୂପଙ୍କର ଓ ତାଙ୍କ ସାଥୀ ଅଙ୍କିତ୍ ଏକ କମ୍ପାନୀ ପ୍ରତିଷ୍ଠା କରି ୨୦୨୩ରୁ କାଗଜ ଉତ୍ପାଦନ ଆରମ୍ଭ କରିଥିଲେ।


