ନୂଆଦିଲ୍ଲୀ, ୧୦ା୨- ଇଂଲଣ୍ଡ ବିପକ୍ଷରେ ଚେନ୍ନାଇଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ଅତିକମ୍ରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ପ୍ରଥମ ମ୍ୟାଚ୍ରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଝାଡ଼ଖଣ୍ଡ ସ୍ପିନର ଶାହାବାଜ ନଦୀମ ଦଳରୁ ବାଦ୍ ପଡ଼ିବା ନିଶ୍ଚିତ। ତାଙ୍କ ବଦଳରେ କେଉଁ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ଯାଗା ମିଳିବ, ତାହା ଆସନ୍ତା ଶୁକ୍ରବାର ଜଣାପଡ଼ିବ। କିନ୍ତୁ ଅହତ ସମସ୍ୟାରୁ ମୁକୁଳିଥିବା ଅକ୍ଷର ପଟେଲଙ୍କୁ ଦିଆଯାଇପାରେ ପ୍ରାଥମିକତା।
ପ୍ରଥମ ଟେଷ୍ଟରେ ଅକ୍ଷରଙ୍କ ଖେଳିବାର ବିଶେଷ ସମ୍ଭାବନା ଥିଲା। କିନ୍ତୁ ଆଣ୍ଠୁ ଜନିତ ଆହତ ସମସ୍ୟା ଯୋଗୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ସେ ଏବେ ଫିଟ୍ ଓ ନେଟ୍ସରେ ବ୍ୟାଟିଂ କରୁଛନ୍ତି। ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ଅଧିନାୟକ ବିରାଟ କୋହଲି ଓ ମୁଖ୍ୟକୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ନିର୍ଭର କରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।
ଉଲ୍ଲେଖଥାଉ କି, ଚେନ୍ନାଇ ଟେଷ୍ଟର ଉଭୟ ଇନିଂସରେ ନଦୀମ ୫୯ ଓଭର ବୋଲିଂ କରି ୨୩୩ ରନ୍ ଦେଇ ୪ ଉଇକେଟ ନେଇଥିଲେ। ସେ ଗୋଟିଏ ଓଭରରେ ୯ଟି ବଲ ପକାଇଥିଲେ, ଯାହାକି ଟେଷ୍ଟ କ୍ରିକେଟରେ ଗ୍ରହଣୀୟ ନୁହେଁ।