Categories: ଖେଳ

ମନର ଯନ୍ତ୍ରଣା ବଖାଣିଲେ ଏହି ଅନ୍ତର୍ଜାତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୮: ୨୦୨୦ ମସିହାରେ ପାକିସ୍ତାନ କ୍ରିକେଟ ବୋର୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ବାସନ୍ଦ କରିଥିଲା। ଉମର ଅକମଲଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ଦୁର୍ନୀତି ନିବାରଣ ୟୁନିଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବର୍ତ୍ତମାନ ଉମର ଅକମଲ ସେହି ସମୟକୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି। ଅକମଲ କହିଛନ୍ତି ଯେ, ସେହି ସମୟ ମୋ ଏବଂ ମୋ ପରିବାର ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା। ଏଥିସହ ତାଙ୍କୁ ସେହି ସମୟରେ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ସେ କହିଥିଲେ।
ଉମର ଆକମଲ ଶେଷ ଥର ପାଇଁ ୨୦୧୯ରେ ପାକିସ୍ତାନ କ୍ରିକେଟ ଦଳ ପାଇଁ ଖେଳିଥିଲେ। ବାସନ୍ଦ ଦିନଗୁଡ଼ିକୁ ମନେ ପକାଇ ଉମର ଆକମଲ କହିଛନ୍ତି ଯେ, ମୁଁ ଯେଉଁ ଦିନ ଦେଖିଲି, ମୋର ଶତ୍ରୁମାନେ ମଧ୍ୟ ସେପରି ଦିନ ନ ଦେଖନ୍ତୁ। ଭଗବାନ ମୋର ପରୀକ୍ଷା ନେଇଥିଲେ। ସେ କହିଥିଲେ ଯେ, ଯେତେବେଳେ ମୁଁ ମୋର ଖରାପ ଦିନ ଦେଇ ଗତି କରୁଥିଲି, ମୋ ଚାରିପାଖରେ ଅନେକ ଲୋକ ସେମାନଙ୍କର ପ୍ରକୃତ ରଙ୍ଗ ଦେଖାଇଥିଲେ। ଏହି ଲୋକମାନେ ମୋତେ ଖରାପ ସମୟରେ ଛାଡି ଦେଇଥିଲେ। କିନ୍ତୁ ମୁଁ ସେହି ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନେ ସେହି କଷ୍ଟ ସମୟରେ ମୋତେ ସମର୍ଥନ କରିଥିଲେ।
ଉମର ଅକମଲ କହିଛନ୍ତି ଯେ, ମୁଁ ମୋ ଝିଅକୁ ପ୍ରାୟ ୮ ମାସ ସ୍କୁଲକୁ ପଠାଇ ପାରି ନ ଥିଲି। କାରଣ ଫିସ୍‌ ଭରିବାକୁ ମୋ ପାଖେ ପଇସା ନ ଥିଲା। କିନ୍ତୁ ମୋ ସ୍ତ୍ରୀ ମୋତେ ତଳେ ହାରିବାକୁ ଦେଲେ ନାହିଁ, ସେ ସବୁବେଳେ ଛାଇ ପରି ମୋ ପାଖରେ ଠିଆ ହୋଇଥିଲେ।
Share