ଏହା ଯୁଦ୍ଧର ଯୁଗ ନୁହେଁ

ସମରକନ୍ଦ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲ୍କ ରୋଡ୍‌ ସିଟି ସମରକନ୍ଦରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ମୋଦି ପୁଟିନ୍‌ଙ୍କୁ କହିଛନ୍ତି, ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ଉପୁଜିଥିବା ବୈଶ୍ୱିକ ଖାଦ୍ୟ ଓ ଶକ୍ତି ସଙ୍କଟର ସମାଧାନ ପାଇଁ ଉପାୟ ବାହାର କରାଯିବା ଆବଶ୍ୟକ। ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ମୋଦି ଗଣତନ୍ତ୍ର, ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ସାରା ବିଶ୍ୱ ବିଶେଷକରି ବିକଶିତ ରାଷ୍ଟ୍ରଗୁଡ଼ିକ ଆଗରେ ଖାଦ୍ୟ ନିରାପତ୍ତା, ଇନ୍ଧନ ନିରାପତ୍ତା ଓ ସାର ଯୋଗାଣ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଆମକୁ ଏହି ସମସ୍ୟାର ସମାଧାନ ବାହାର କରିବାକୁ ପଡ଼ିବ। ଆପଣଙ୍କୁ ମଧ୍ୟ ଏହା ଉପରେ ବିଚାର କରିବାକୁ ପଡ଼ିବ। ପୁଟିନ୍‌ ନିଜ ବକ୍ତବ୍ୟ ରଖି କହିଥିଲେ, ୟୁକ୍ରେନ୍‌ ସଂଘର୍ଷକୁ ନେଇ ଭାରତର ଚିନ୍ତା ଉପରେ ସେ ସଚେତନ ଅଛନ୍ତି। ରୁଷିଆ ଏହାର ଅନ୍ତ ଘଟାଇବା ପାଇଁ ଯଥାଶୀଘ୍ର ସମ୍ଭବ ସବୁକିଛି କରିବ। ୟୁକ୍ରେନ୍‌ ଆଲୋଚନାରୁ ମୁହଁ ଫେରାଇ ନେଇଛି ଏବଂ ଯୁଦ୍ଧଭୂମିରେ ସାମରିକ ଉପାୟରେ ନିଜ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛି। ସେଠାରେ ଯାହାକିଛି ଚାଲିଛି, ସେସବୁ ଉପରେ ଆମେ ଆପଣଙ୍କୁ ଅବଗତ କରାଇବୁ ବୋଲି ପୁଟିନ୍‌ ମୋଦିଙ୍କୁ କହିଥିଲେ।

Share