ନୂଆଦିଲ୍ଲୀ: ପରୋକ୍ଷ ଟିକସ ବ୍ୟବସ୍ଥାରେ ଐତିହାସିକ ସୁଧାର କୁହାଯାଉଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) କାର୍ଯ୍ୟକାରୀ ହେବାର ୪ର୍ଥ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୨୦୧୭ ଜୁଲାଇ ପହିଲାରେ ଏହି ନୂଆ ଟିକସ ବ୍ୟବସ୍ଥା ଲାଗୁ କରାଇଥିଲେ। ଜିଏସ୍ଟିର ୪ର୍ଥ ବର୍ଷ ପୂର୍ତ୍ତି ପାଳନ ହେଉଥିବା ବେଳେ ଏହା
ସାମ୍ନାରେ ରାସ୍ତା ବର୍ତ୍ତମାନ ବି ଆହ୍ବାନପୂର୍ଣ୍ଣ ରହିଛି।
ଜିଏସ୍ଟିର ୪ର୍ଥ ପୂର୍ତ୍ତି
୫ ପ୍ରମୁଖ ଲକ୍ଷ୍ୟ ନେଇ ଜିଏସ୍ଟି କାର୍ଯ୍ୟକାରୀ କରାଯାଇଥିଲା। ଦରଦାମ ବୃଦ୍ଧି ଉପରେ ଲଗାମ, ଅନୁପାଳନ ବୋଝ କମ୍ କରିବା, ଟିକସ ଚୋରି ରୋକିବା, ଜିଡିପି ଅଭିବୃଦ୍ଧିରେ ବୃଦ୍ଧି ଏବଂ ଟିକସ ସଂଗ୍ରହ ବଢାଇବା ଲକ୍ଷ୍ୟ ରହିଥିଲା। ମାତ୍ର ଏହି ପ୍ରମୁଖ ଦିଗଗୁଡିକୁ ବିଚାର କଲେ ସରକାରଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି। ସମ୍ପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାକୁ ସରକାର ଏଯାଏ ସକ୍ଷମ ହୋଇନାହାନ୍ତି। ଦରଦାମ ଉପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୂରରେ ରହିଛି। ସେହିଭଳି ଜିଏସ୍ଟି ଠକେଇ ଉପରେ ଲଗାମ ଲାଗିପାରିନାହିଁ।
ଜିଡିପିକୁ ଝଟକା
ଜିଏସ୍ଟି କାର୍ଯ୍ୟକାରୀ ହେବା ପରେ ଜିଡିପି ୨% ବଢିବ ବୋଲି କୁହାଯାଇଥିଲା। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଜିଡିପି -୭.୩% ରହିଛି। ୨୦୧୯-୨୦ରେ ଜିଡିପି ୪.୨% ଥିଲା। ସେହିଭଳି ୨୦୧୭-୧୮ରେ ୭.୨% ଏବଂ ୨୦୧୮-୧୯ରେ ଜିଡିପି ୬.୮% ସ୍ତରରେ ରହିଥିଲା।
ଟିକସ ସଂଗ୍ରହ ଲକ୍ଷ୍ୟଠାରୁ ପଛରେ
ଜିଏସ୍ଟି କାର୍ଯ୍ୟକାରୀ ହେବା ସମୟରେ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କାର ଟିକସ ସଂଗ୍ରହ ହେବ ବୋଲି ଆଶା କରାଯାଇଥିଲା। ଅଦ୍ୟାବଧି ଏହି ଲକ୍ଷ୍ୟ ବର୍ତ୍ତମାନ ଯାଏ ପୂରଣ ହୋଇପାରିନାହିଁ। ଲକ୍ଷ୍ୟ ହାସଲ କରିବାକୁ ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ଏହା ହାସଲ ହୋଇପାରିନାହିଁ।
ଟେକ୍ନୋଲୋଜି ସମସ୍ୟା
ଜିଏସ୍ଟି କାର୍ଯ୍ୟକାରୀ ହେବା ପରଠାରୁ ଟେକ୍ନୋଲୋଜି ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ଲୋକମାନେ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତି ଲାଭ କରିବାକୁ ସକ୍ଷମ ହୋଇନାହାନ୍ତି। ଏହାକୁ ଆହୁରି ସରଳକରିବା ଲାଗି ଆଗାମୀ ଦିନରେ ମଧ୍ୟ ସରକାର କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହା ହେଲେ ଯାଇ ଯେଉଁ ଲକ୍ଷ୍ୟ ନେଇ ଜିଏସ୍ଟି କାର୍ଯ୍ୟକାରୀ କରାଯାଇଥିଲା ତାହା ପୂରଣ ହୋଇପାରିବ।
ଗତ ୪ ବର୍ଷରେ ଜିଏସ୍ଟି ଅନେକ ଉତ୍ଥାନ ପତନ ଦେଇ ଗତି କରିଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ପ୍ରାୟ ୧୭ ଟିକସ ଏହା ମଧ୍ୟରେ ବିଲୀନ ହୋଇଛି। ଫଳରେ ସାରା ଦେଶରେ ଏକ ପ୍ରକାର ଟିକସ ପରୋକ୍ଷ ବ୍ୟବସ୍ଥା ଲାଗୁ ହୋଇପାରିଛି। ପୂର୍ବରୁ ଭାଟ୍ ଭାବେ ୧୪.୫%, ଉତ୍ପାଦ ଶୁଳ୍କ ଭାବେ ୧୨.୫% ଦେବାକୁ ପଡୁଥିବା। ଏହାବାଦ ଅନ୍ୟାନ୍ୟ ଟିକସ ମଧ୍ୟ ରହିଥିଲା।
୬୬ କୋଟି ରିଟର୍ନ ଫାଇଲ୍
ଗତ ୪ ବର୍ଷ ମଧ୍ୟରେ ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍ଟି)ରେ ୬୬ କୋଟି ରିଟର୍ନ ଫାଇଲ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମନ୍ତ୍ରଣାଳୟ କହିଛି, ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଯୋଗୁ ଟିକସ ହାର କମିବା ସହ ଅନୁପାଳନ ବଢିଛି। ପରୋକ୍ଷ ଟିକସ ବ୍ୟବସ୍ଥାରେ ଆଞ୍ଚଳିକ ସ୍ତରର ୧୭ ପ୍ରକାର ଟିକସ ଏବଂ ୧୩ ସେସ୍ ବିଲୀନ ହୋଇଛି। ମନ୍ତ୍ରଣାଳୟ ସିରିଜ ଟୁଇଟରେ କହିଛି, ଅନୁପାଳନକୁ ସରଳୀକରଣ କରିବା ଏବଂ କୋଭିଡ୍ ସମୟରେ ବିଜ୍ନେସକୁ ସୁବିଧା ହେବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବାର୍ଷିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବିଜ୍ନେସଗୁଡିକୁ ଟିକସ ଛାଡ଼ କରାଯାଇଛି। ୧.୫ କୋଟି ଟଙ୍କାର କାରବାର ଥିବା ବିଜ୍ନେସ କମ୍ପୋଜିଶନ ସ୍କିମ୍ ଚୟନ କରିବା ସହ ମାତ୍ର ୧% ଟିକସ ଦେଇପାରିବେ। ସେବା କ୍ଷେତ୍ରରେ ବାର୍ଷିକ ୨୦ ଲକ୍ଷ ଟଙ୍କାର କାରବାର କରୁଥିବା ବିଜ୍ନେସକୁ ଜିଏସ୍ଟି ପରିସରରୁ ବାଦ୍ ଦିଆଯାଇଛି। ୫୦ ଲକ୍ଷ ଟଙ୍କାର କାରବାର ଥିବା ଯୋଗାଣକାରୀ କମ୍ପୋଜିଶନ ସ୍କିମ୍ ଚୟନ କରି ୬% ଟିକସ ଦେଇପାରିବେ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୧.୩ କୋଟି ଟିକସଦାତା ଜିଏସ୍ଟି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଛନ୍ତି।
ଜିଏସ୍ଟି ବ୍ୟବସ୍ଥାରେ ବିତ୍ତୀୟ ସଂଘୀୟବାଦକୁ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଅର୍ଥମନ୍ତ୍ରଣାଳୟ ୫୪,୪୩୯ ଟିକସଦାତାଙ୍କୁ ପ୍ରଂଶସାପତ୍ର ପ୍ରଦାନ କରିଛି।
ଜିଏସ୍ଟି ଆସିବା ପରେ ଦୈନଦିନ ଜୀବନରେ ଅନେକ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାରରେ ପରିବର୍ତ୍ତନ ଦେଖାଯାଇଛି। ଦେଶର ଅର୍ଥନୈତିକ ଦୃଶ୍ୟପଟରେ ଜିଏସ୍ଟି ଏକ ବିରାଟ ମାଇଲଖୁଣ୍ଟ ।
ଜିଏସ୍ଟି ଯୋଗୁ ଟିକସ ସଂଖ୍ୟା ହ୍ରାସ, ଅନୁପାଳନ ବୋଝ ଲାଘବ ଏବଂ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ କମିଥିବା ବେଳେ ଟିକସ ସଂଗ୍ରହ ଉନ୍ନତି ହୋଇଛି।
– ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ
ଟିକସ ହାର କମିବା ଯୋଗୁ ଲୋକମାନେ ଟିକସ ପ୍ରଦାନ ଦିଗରେ ଯୋଗଦାନ ରଖୁଛନ୍ତି। ପୂର୍ବ ତୁଳନାରେ ଲୋକଙ୍କୁ ବର୍ତ୍ତମାନ ୧୧% ଟିକସ ଦେବାକୁ ପଡୁଛି। ଟିକସ ଟେକ୍ନୋଲୋଜି ଭିତ୍ତିକ ହୋଇଥିବାରୁ ଭାରତ ବର୍ତ୍ତମାନ ଏକକ ବଜାର ହୋଇପାରିଛି।
– ନିର୍ମଳା ସୀତାରାମନ, ଅର୍ଥମନ୍ତ୍ରୀ