Categories: ଜାତୀୟ

ନୂଆ ଆଇନରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ,୧ା୭: ଆଜିଠୁ ଦେଶରେ ଲାଗୁ ହୋଇଛି ୩ ନୂଆ ଆଇନ। ତେବେ ଏହି ଆଇନ ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ ଏଫ୍‌ଆଇର ବା ମାମଲା ଦିଲ୍ଲୀରେ ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ୍‌ ଥାନାରେ ଜଣେ ଭେଣ୍ଡରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏକ ଫୁଟ୍‌ ଓଭରବ୍ରିଜ ଅବରୋଧକୁ ନେଇ ଏହି ମାମଲା ରୁଜୁ ହୋଇଛି।

ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍‌ ଜଣେ ବ୍ୟକ୍ତି ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍‌ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକରଣ କରିଥିଲା।

ପୋଲିସ ତାଙ୍କ ନାମ ଏବଂ ଠିକଣା ପଚାରି ନୂତନ ଆଇନ ବିଏନ୍‌ଏସ୍‌ର ଧାରା ୨୮୫ ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା। ଏହି ନିୟମ ଅନୁଯାୟୀ ଏହା ପ୍ରଥମ ଏଫ୍‌ଆଇଆର୍‌।

ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।

ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ। ଗତବର୍ଷ ଡିସେମ୍ବର ୨୧ରେ ୩ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ଆସିବ। ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବା ବାଧ୍ୟତାମୂଳକ ହେବ। ବଳାତ୍କାର ପୀଡ଼ିତାଙ୍କ ବୟାନ ଜଣେ ମହିଳା ପୋଲିସ ଅଫିସର ରେକର୍ଡ କରିବେ। ଏହି ସମୟରେ ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ଡାକ୍ତରୀ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ହେବ। ନୂଆ ଆଇନରେ ସଂଗଠିତ ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞା ନିରୂପଣ କରାଯାଇଛି। ଏଥିରେ ରାଜଦ୍ରୋହ ସ୍ଥାନରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସମସ୍ତ ତଲାସି ତଥା ଜବତ ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ହୋଇଛି। ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ ସାମିଲ କରାଯାଇଛି। ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ପ୍ରାଧାନ୍ୟ ଦିଆଯାଇଛି।

Share