ନୂଆଦିଲ୍ଲୀ,୧୦ା୪:୧୯୫୧ରେ ହୋଇଥିବା ସାଧାରଣ ନିର୍ବାଚନ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ୨୦୨୪ର ଲୋକ ସଭା ନିର୍ବାଚନ ପ୍ରକ୍ରିୟାର ଅବଧି ହେଉଛି ୮୨ ଦିନ। ଗତ ମାର୍ଚ୍ଚ ୧୬ରେ ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଫଳାଫଳ ଆସିବା ପର୍ଯ୍ୟନ୍ତ ୮୨ ଦିନ ହେଉଥିବାରୁ ଏହା ହେଉଛି ଦେଶର ଦ୍ୱିତୀୟ ଲମ୍ବା ନିର୍ବାଚନ।
ଚଳିତ ଲୋକ ସଭା ନିର୍ବାଚନ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ ୪ରେ ଭୋଟ ଗଣତି କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ଦେଶର ବିଭିନ୍ନ ଭାଗରେ ଏପ୍ରିଲ ୧୯, ୨୬, ମେ’ ୭, ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଭୋଟ ଗ୍ରହଣ କରାଯିବ ବୋଲି ଗତ ୧୬ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଘୋଷଣା କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ଭୋଟଗ୍ରହଣକୁ ଦେଖିଲେ ମତଦାନ ଅବଧି ୪୪ ଦିନ ହେଉଛି। ସ୍ବାଧୀନତା ପରେ ୧୯୫୧-୫୨ରେ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୮୦ରେ ମାତ୍ର ୪ ଦିନରେ ସାରା ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଥିଲା। ୨୦୦୪ରେ ଏପ୍ରିଲ ୨୦ରୁ ମେ’ ୧୦ ମଧ୍ୟରେ ୪ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହୋଇଥିଲା। ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ଭିତରେ ୫ ପର୍ଯ୍ୟାୟରେ ଦେଶର ଭୋଟରମାନେ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ପରେ ୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଏପ୍ରିଲ ୭ରୁ ମେ’ ୧୨ ପର୍ଯ୍ୟନ୍ତ ସର୍ବାଧିକ ୯ ପର୍ଯ୍ୟାୟରେ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା। କେନ୍ଦ୍ର ସରକାର ନିର୍ବାଚନୀ ଖର୍ଚ୍ଚ କାଟ୍ ଓ ପ୍ରଶାସନିକ ବୋଝ ହ୍ରାସ ପାଇଁ ସାରା ଦେଶରେ ଏକକାଳୀନ ନିର୍ବାଚନ କରାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ‘ଏକ ଦେଶ ଗୋଟିଏ ନିର୍ବାଚନ’ ପାଇଁ ଅନୁଧ୍ୟାନ କରିବା ଲାଗି ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରଠୁ ଦେଶରେ ନିର୍ବାଚନ ଅବଧି ଲମ୍ବି ଚାଲିଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି।