ଦେଶର ସବୁଠାରୁ ଏହି ପୁରାତନ ମହିଳା ଦେଉଛନ୍ତି ଟ୍ୟାକ୍ସ

ଭୋପାଳ,୨୮।୭: ନିକଟରେ ଆୟକର ବିଭାଗର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଚଳିତ ଥର ଆୟକର ବିଭାଗର ଏକ କମିଟି ସର୍ବ ପୁରାତନ ଟିକସଦାତାଙ୍କୁ ସମ୍ମାନିତ କରିବାକୁ ଏକ କାର୍ଯ୍ୟକ୍ରମ ଆଯୋଜିତ କରିଥିଲା। କିନ୍ତୁ ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମକୁ ପରେ ସ୍ଥଗିତ ରଖାଯାଇଥିଲା। ପରେ ଆୟକର ବିଭାଗର ଅଧିକାରୀମାନେ ସଚ୍ଚୋଟ ଟିକସଦାତାଙ୍କ ଘରକୁ ଘର ବୁଲି ତାଙ୍କୁ ସମ୍ମାନିତ କରିଥିଲେ। ଏହି କ୍ରମରେ ମଧ୍ୟପ୍ରଦେଶର ସାଗର ଜିଲାରେ ରହୁଥିବା ୧୧୭ ବର୍ଷୀୟ ଗିରିଜା ବାଇ ତିଓ୍ବାରି ହୋଇଛନ୍ତି ଦେଶର ସବୁଠାରୁ ପୁରାତନ ଟିକସଦାତା। ତାଙ୍କୁ ଆୟକର ଅଧିକାରୀମାନେ ସମ୍ମାନିତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆୟକର ବିଭାଗର ସ୍ଥାପନା ଦିବସ ଅବସରରେ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରିବା ଲାଗି ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟିକସଦାତାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଯେଉଁମାନେ ୧୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଟିକସ ଦେଇଆସୁଛନ୍ତି ସେମାନଙ୍କର ଏକ ତାଲିକା ଜାରି କରାଯାଇଥିଲା। ତେବେ ଏହି ତାଲିକା ଅନୁସାରେ ସାଗର ଜିଲାର ବିନାରେ ରହୁଥିବା ୧୧୭ ବର୍ଷୀୟ ଗିରିଜା ବାଇ ସର୍ବ ପୁରାତନ ଟିକସଦାତା ଭାବେ ବିବେଚିତ ହୋଇଥିଲେ। କାରଣ ଆୟକର ବିଭାଗ ଅନୁଯାୟୀ ଗିରିଜା ବାଇଙ୍କ ପ୍ୟାନ କାର୍ଡ଼ରେ ଜନ୍ମତିଥି ୧୯୦୩ ରହିଛି। ତେଣୁ ସେ ସର୍ବ ପୁରାତନ ଟିକସଦାତା ଭାବେ ପରିଗଣିତ ହୋଇଥିଲେ। ଯିଏ ନିଜ ପେନ୍‌ସନ୍‌ ଆୟ ଉପରେ ଆଜି ବି ଟିକସ ଦେଇଆସୁଛନ୍ତି। ଅନ୍ୟପଟେ ଗିରିଜା ବାଇଙ୍କ ବ୍ୟତୀତ ଇନ୍ଦୋରର ୧୦୩ ଇଶ୍ୱରୀ ଦେବୀ ଲୁଲା, ବିଳାସପୁରର ୧୦୦ ବର୍ଷୀୟ ବିନା ରାକ୍ଷୀ ଓ ଇନ୍ଦୋରର ୧୦୦ ବର୍ଷୀୟ କାଞ୍ଚନ ବାଇ ମଧ୍ୟ ପ୍ରାୟ ଏକ ଦଶନ୍ଧି ଧରି ଟିକସ ଦେଉଥିବା ଟିକସଦାତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ସମସ୍ତ ମହିଳା ଆମର ବ୍ରାଣ୍ଡ ଆମ୍ବାସାଡର ବୋଲି ଆୟକର ବିଭାଗର ମୁଖ୍ୟ କମିଶନର ଏ.କେ. ଚୌହାନ କହିଛନ୍ତି।

Share