ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ ହିରୋ ଅକ୍ଷୟ କୁମାରଙ୍କ ବାସଭବନ ସମ୍ମୁଖରୁ ଉଦ୍ଧାର କରାଯାଇଛି। ଉକ୍ତ ଛାତ୍ର ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲା ଅରବିନ୍ଦ ସ୍କୁଲର ଦଶମ ଶ୍ରେଣୀର ଛାତ୍ର।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଛାତ୍ର ଜଣକ ସ୍କୁଲ ଯାଇ ଘରକୁ ଫେରି ନ ଥିଲେ। ପରେ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରି ନ ପାଇବାରୁ ସୁନ୍ଦରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। କେଶ ନଂ. ୨୩୦/୨୧ରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ ୧୧ ତାରିଖରେ ନିଖୋଜ ଛାତ୍ର ଜଣକ ଅକ୍ଷୟ କମାରଙ୍କ ଘର ସମ୍ମୁଖରେ ବୁଲାବୁଲି କରୁଥିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ଜିମା ଦେଇଥିଲେ। ପରେ ପୋଲିସ ମୁମ୍ବାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା। ପଚରାଉଚରା ପରେ ସେ ଓଡ଼ିଶା ସୁନ୍ଦରଗଡ ଜିଲାର ବୋଲି ଜଣାପଡ଼ିବା ପରେ ମୁମ୍ବାଇ ଚାଇଲ୍ଡଲାଇନ ପକ୍ଷରୁ ସୁନ୍ଦରଗଡ ଚାଇଲ୍ଡଲାଇନକୁ ଜଣା ଯାଇଥିଲା। ସୂଚନା ପାଇବାପରେ ସୁନ୍ଦରଗଡ଼ ଚାଇଲ୍ଡଲାଇନର ଏକ ଟିମ ତାଙ୍କୁ ଆଣିବା ପାଇଁ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଛାତ୍ର ଜଣକ ସିନେ ତାରକା ଅକ୍ଷୟ କୁମାର ଓ ସଲମାନ ଖାନ୍‌ଙ୍କ ବଡ଼ ପ୍ରଶଂସକ। ତେବେ ଛାତ୍ର ଜଣଙ୍କ ଏହି ଦୁଇ କଳାକାରଙ୍କୁ ଭେଟିବା ପାଇଁ ନିଜ ମୋବାଇଲ ଜଣେ ସାଙ୍ଗକୁ ବିକି ଝାରସୁଗୁଡ଼ାରୁ ଟ୍ରେନ୍‌ ଯୋଗେ ମୁମ୍ବାଇ ଚାଲିଯାଇଥିବା କୁହାଯାଉଛି।

Share